ଶିକ୍ଷକ ବଦଳି ନେଇ ସ୍କୁଲରେ ପଡ଼ିଲା ତାଲା

ନୂଆପଡ଼ା,୫ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୁରୁମପୁରି ପଞ୍ଚାୟତ ଦଳଦଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ସୋମବାର ଅଭିଭାବକମାନେ ଗେଟ୍‌ରେ ତାଲା ପକାଇ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ବସାଇ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୧୨୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ୮ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଥିଲେ। ଚଳିତ ଶିକ୍ଷକ ବଦଳି ପର୍ବରେ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଶିଶୁ ବାଟିକାକୁ ମିଶାଇ ୯ ଶ୍ରେଣୀରେ ୫ ଜଣ ଶିକ୍ଷକ କିଭଳି ଶିକ୍ଷାଦାନ କରିବେ ବୋଲି ଗ୍ରାମବାସୀ, ଅଭିଭାବକ ପ୍ରଶ୍ନକରି ଧାରଣା ଦେଇଥିଲେ। କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ପଣ୍ଡା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧାକାନ୍ତ ତାଣ୍ଡି ଧାରଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ନିୟମ ଅନୁଯାୟୀ ବଦଳି ହୋଇଛି। ଛାତ୍ରୀଛାତ୍ର ଓ ଶ୍ରେଣୀ ଅନୁପାତରେ ଶିକ୍ଷକ ଦିଆଯାଉଛି। ଆଉ ଜଣେ ଶିକ୍ଷକ ଦିଆଯିବ ବୋଲି କହିଥିଲେ ମଧ୍ୟ ଅଭିଭାବକମାନେ ୩ଜଣ ଶିକ୍ଷକ ଦେବାକୁ ଅଡିବସିଥିଲେ। ପରେ ଜିଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝି, ବୈରବ ସାହୁ ଓ ସୁଧୀର ମିଶ୍ର ଧାରଣାସ୍ଥଳରୁ ଜିଲାପାଳଙ୍କୁ ଫୋନକରି ଜଣାଇବା ସହ ୩ ଜଣ ଶିକ୍ଷକ ଦିଆଯାଉ ବୋଲି ଦାବି କରିଥିଲେ ା ଫୋନ ଯୋଗେ ଜିଲାପାଳ ୨ ଜଣ ଶିକ୍ଷକ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସ୍କୁଲରେ ୨୪ ଘଣ୍ଟା ଭିତରେ ୨ ଜଣ ଶିକ୍ଷକ ଯୋଗଦାନ ନ କଲେ ପୁଣି ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତ। ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫିରୋଜ ଖାନ, ଶିବ ବାଗ, ଚୈତନ ମାଝି, ଡେବିଡ ସାହୁ, ନେହେରୁ ଲୋହାର, ନନ୍ଦୁ ମାଝି, ଫୁଲସିଂ ମାଝି, ଯଶୋଦା ମାଝି, ନନ୍ଦିନୀ ମାଝି, ପ୍ରଭୁଲାଲ ମାଝି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ା