ନୂଆଦିଲ୍ଲୀ,୧୬।୧: ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଜାତୀୟ ସଭାପତି ନିର୍ବାଚନ ପାଇଁ ଆନୁଷ୍ଠାନିକ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଦଳ ଅନୁଯାୟୀ, ନାମାଙ୍କନ ପ୍ରକ୍ରିୟା ଜାନୁଆରୀ ୧୯, ୨୦୨୬ ରେ ସମାପ୍ତ ହେବ ଏବଂ ନୂତନ ଜାତୀୟ ସଭାପତିଙ୍କ ନାମ ଜାନୁଆରୀ ୨୦, ୨୦୨୬ ରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ। ଦଳର ସାଂଗଠନିକ ଗଠନକୁ ମଜବୁତ କରିବା ଏବଂ ଆଗାମୀ ରାଜନୈତିକ ଚ୍ୟାଲେଞ୍ଜ ପାଇଁ ନେତୃତ୍ୱକୁ ପ୍ରସ୍ତୁତ କରିବା ପାଇଁ ଏହି ନିର୍ବାଚନ ପ୍ରକ୍ରିୟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଆସନ୍ତା ୨୦ ତାରିଖରେ ନିର୍ବାଚନ ଏବଂ ୧୯ ତାରିଖରେ ନାମାଙ୍କନ ଦାଖଲ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏ ନାମାଙ୍କନ ପ୍ରକ୍ରିୟା ରହିଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି। ୨୦ ତାରିଖରେ ହିଁ ସଭାପତିଙ୍କ ନାଁ ଘୋଷଣା କରାଯିବ। ବର୍ତ୍ତମାନ ନୀତୀନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।