ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI,ଏବେ ଅନଲାଇନ୍‌ ଟଙ୍କା ଟ୍ରାନ୍ସଫର କଲେ…

ନୂଆଦିଲ୍ଲୀ,୧୩।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଇମିଡିଏଟ ପେମେଣ୍ଟ ସର୍ଭିସ (ଆଇଏମ୍‌ପିଏସ୍‌) ଟ୍ରାନଜାକସନ ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନଲାଇନ ଓ ଶାଖା (ବ୍ରାଞ୍ଚ) ଚ୍ୟାନେଲରେ ଭିନ୍ନ ଭାବେ ପ୍ରଭାବ ପକାଇବ। କମ ରାଶିର ଲେଣଦେଣ ଏବେ ମଧ୍ୟ ମାଗଣା ରହିବ। କିନ୍ତୁ କିଛି ଅଧିକ ରାଶିର ଅନଲାଇନ ଟ୍ରାନ୍ସଫର ଉପରେ ଏବେ ସାମାନ୍ୟ ଶୁଳ୍କ ଲାଗୁ ହେବ। ତେବେ ବ୍ରାଞ୍ଚରେ କରାଯାଉଥିବା ଆଇଏମ୍‌ପିଏସ୍‌ ଟ୍ରାନ୍ଜାକସନର ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଯାଏ ଅନଲାଇନ ଆଇଏମ୍‌ପିଏସ୍‌ ଟ୍ରାନ୍ସଫର ଉପରେ କୌଣସି ଶୁଳ୍କ ଲାଗୁ ହେଉ ନ ଥିଲା।

ଆଇଏମ୍‌ପିଏସ୍‌ କ’ଣ?
ଆଇଏମ୍‌ପିଏସ୍‌ (ଇମିଡିଏଟ ପେମେଣ୍ଟ ସର୍ଭିସ) ହେଉଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ପ୍ରଦାନ କରାଯାଉଥିବା ୨୪ ଘଣ୍ଟିଆ ରିଅଲ-ଟାଇମ ଇଣ୍ଟରବ୍ୟାଙ୍କ ଟ୍ରାନ୍ସଫର ସୁବିଧା। ଏହା ମାଧ୍ୟମରେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରାଯାଇପାରେ। ଅଧିକାଂଶ ଚ୍ୟାନେଲରେ ଗୋଟିଏ ଟ୍ରାନ୍ଜାକସନର ସୀମା ୫ ଲକ୍ଷ ଟଙ୍କା, କିନ୍ତୁ ଏସ୍‌ଏମ୍‌ଏସ୍‌ ଓ ଆଇଭିଆର୍‌ ଚ୍ୟାନେଲରେ ଏହି ସୀମା ଭିନ୍ନ ରହିଛି।

ଏସବିଆଇର ସଂଶୋଧିତ IMPS ଶୁଳ୍କ – ଅନଲାଇନ ଟ୍ରାନ୍ଜାକସନ:

ପୂର୍ବରୁ ସମସ୍ତ ଅନଲାଇନ ଆଇଏମପିଏସ ଟ୍ରାନଜାକସନ ମାଗଣା ଥିଲା, କିନ୍ତୁ ଏବେ କିଛି ଅଧିକ ରାଶିର ଟ୍ରାନ୍ସଫର ଉପରେ ଶୁଳ୍କ ଲାଗୁ ହେବ।

୧,୦୦୦ ଟଙ୍କା ପର୍ଯ୍ୟନ୍ତ: ଅନଲାଇନ ଓ ଶାଖା ଉଭୟରେ କୌଣସି ଶୁଳ୍କ ନାହିଁ।
୧,୦୦୦ରୁ ୧୦,୦୦୦ ଟଙ୍କା: ଅନଲାଇନରେ ଶୁଳ୍କ ନାହିଁ, କିନ୍ତୁ ଶାଖାରେ ୨ ଟଙ୍କା + ଜିଏସଟି।
୧୦,୦୦୦ରୁ ୨୫,୦୦୦ ଟଙ୍କା: ଅନଲାଇନରେ ଶୁଳ୍କ ନାହିଁ, ଶାଖାରେ ୪ ଟଙ୍କା + ଜିଏସଟି।
୨୫,୦୦୦ରୁ ୧,୦୦,୦୦୦ ଟଙ୍କା: ଅନଲାଇନ ଓ ଶାଖା ଉଭୟରେ ୪ ଟଙ୍କା + ଜିଏସଟି।
୧,୦୦,୦୦୦ରୁ ୨,୦୦,୦୦୦ ଟଙ୍କା: ଅନଲାଇନରେ ୬ ଟଙ୍କା + ଜିଏସଟି, ଶାଖାରେ ୧୨ ଟଙ୍କା + ଜିଏସଟି।
୨,୦୦,୦୦୦ରୁ ୫,୦୦,୦୦୦ ଟଙ୍କା: ଅନଲାଇନରେ ୧୦ ଟଙ୍କା + ଜିଏସଟି, ଶାଖାରେ ୨୦ ଟଙ୍କା + ଜିଏସଟି।

କେଉଁ ଆକାଉଣ୍ଟଗୁଡ଼ିକୁ ପୂର୍ଣ୍ଣ ଛାଡ଼ ମିଳିବ?
ନିମ୍ନଲିଖିତ ଆକାଉଣ୍ଟଗୁଡ଼ିକରେ ଆଇଏମପିଏସ ଶୁଳ୍କରୁ ଛାଡ଼ ମିଳିବ:
ଡିଫେନ୍ସ ସାଲାରୀ ପ୍ୟାକେଜ (DSP)
ପାରା ମିଲିଟାରୀ ସାଲାରୀ ପ୍ୟାକେଜ (PMSP)
ଇଣ୍ଡିଆନ କୋଷ୍ଟ ଗାର୍ଡ ସାଲାରୀ ପ୍ୟାକେଜ (ICGSP)
ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସାଲାରୀ ପ୍ୟାକେଜ (CGSP)
ପୋଲିସ ସାଲାରୀ ପ୍ୟାକେଜ (PSP)
ରେଳୱେ ସାଲାରୀ ପ୍ୟାକେଜ (RSP)
ଶୌର୍ଯ୍ୟ ଫ୍ୟାମିଲି ପେନସନ ଆକାଉଣ୍ଟ
କର୍ପୋରେଟ ସାଲାରୀ ପ୍ୟାକେଜ (CSP)
ଷ୍ଟେଟ ଗଭର୍ଣ୍ଣମେଣ୍ଟ ସାଲାରୀ ପ୍ୟାକେଜ (SGSP)
ଷ୍ଟାର୍ଟଅପ ସାଲାରୀ ପ୍ୟାକେଜ (SUSP)
ଫ୍ୟାମିଲି ସେଭିଙ୍ଗ୍ସ ଆକାଉଣ୍ଟ -ଏସବିଆଇ ରୀ ସ୍ତେ

ଅନ୍ୟ ବ୍ୟାଙ୍କଗୁଡ଼ିକର ଶୁଳ୍କ
ଅନ୍ୟ ବ୍ୟାଙ୍କଗୁଡ଼ିକରେ ମଧ୍ୟ ଆଇଏମପିଏସ ଶୁଳ୍କ ଲାଗୁ ହୁଏ। କେନାରା ବ୍ୟାଙ୍କରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ ମାଗଣା, କିନ୍ତୁ ୧,୦୦୦-୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ୩ ଟଙ୍କା + ଜିଏସଟି ଏବଂ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦ ଟଙ୍କା + ଜିଏସଟି ଶୁଳ୍କ ଦେବାକୁ ପଡ଼େ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ମାଗଣା, କିନ୍ତୁ ୧,୦୦୧-୧ ଲକ୍ଷ ଟଙ୍କା ପାଇଁ ଶାଖାରେ ୬ ଟଙ୍କା + ଜିଏସଟି ଏବଂ ଅନଲାଇନରେ ୫ ଟଙ୍କା + ଜିଏସଟି ଦେବାକୁ ହେବ।