ମୋ ସ୍ତ୍ରୀଙ୍କୁ ବଞ୍ଚାଅ…ବନ୍ୟାରେ ଫସିଥିବା ଦମ୍ପତ୍ତିଙ୍କ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ଚାଇନାରେ ଭୟଙ୍କର ବନ୍ୟା ମଧ୍ୟରେ ଇଣ୍ଟରନେଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ବନ୍ୟାରେ ଫସି ରହିଥିବା ଜଣେ ବ୍ୟକ୍ତି ନିଜ ଜୀବନର ଚିନ୍ତା ନ କରି ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳକୁ ଅନୁରୋଧ କରୁଥିବାର ଦେଖାଯାଉଛି। ଏହି ୨୭ ସେକେଣ୍ଡର ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଲୋକମାନଙ୍କୁ ଭାବପ୍ରବଣ କରିଛି।

ଉତ୍ତର ଚାଇନାର ଅନେକ ଅଞ୍ଚଳ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା କବଳରେ ଅଛି। ଏହି ବନ୍ୟାରେ ଏକ ଦମ୍ପତି ଫସି ଯାଇଥିଲେ। ଯେତେବେଳେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଲେ, ସ୍ବାମୀ ତୁରନ୍ତ କହିଲେ, ପ୍ରଥମେ ମୋ ସ୍ତ୍ରୀଙ୍କୁ ବଞ୍ଚାଅ, ସେ ପହଁରି ପାରନ୍ତି ନାହିଁ। ମୋ ବିଷୟରେ ଚିନ୍ତା କରନାହିଁ, ମୁଁ ଭଲ ଅଛି। ମୁଁ ପହଁରି ଜାଣିଛି। ତୁମେ ପ୍ରଥମେ ତାକୁ ସୁରକ୍ଷିତ ଭାବରେ ବାହାର କର। ବ୍ୟକ୍ତି ଜଣଙ୍କ ଏହା କହିବା ମାତ୍ରେ, ଉଦ୍ଧାରକାରୀ ଦଳ ପ୍ରଥମେ ମହିଳାଙ୍କୁ ସୁରକ୍ଷିତ ଭାବରେ ବାହାର କରନ୍ତି, ତା’ପରେ ସ୍ବାମୀଙ୍କୁ। ଏହା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରନ୍ତି।

ଲିଉ ନାମକ ଏହି ବ୍ୟକ୍ତି କହିଛନ୍ତି, ବନ୍ୟାରେ ଫସି ରହିବା ପରେ ଉଭୟ ବହୁତ ଭୟଭୀତ ହୋଇଯାଇଥିଲେ। ବ୍ୟକ୍ତି ଜଣକ କହିଲେ, ମୋ ସ୍ତ୍ରୀ କାନ୍ଦିବାକୁ ଲାଗିଲେ କାରଣ ସେ ପହଁରି ଜାଣି ନ ଥିଲେ। କିନ୍ତୁ ଜଣେ ସାଥୀ ଭାବରେ, ମୋର ପ୍ରଥମ ଦାୟିତ୍ୱ ଥିଲା ତାଙ୍କୁ ବଞ୍ଚାଇବା। ଲିଉ ମଧ୍ୟ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଥିଲେ।
ଏହି ଭିଡିଓଟି ସୋସିଆଲ ମିଡିଆରେ ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। ଜଣେ ୟୁଜର୍ସ ଲେଖିଛନ୍ତି, ଏପରି ସ୍ବାମୀ ପାଇବା ସୌଭାଗ୍ୟର କଥା।