ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର ଏହି ଚିନ୍ତା ଦୂର କରିବା ସହ ଜୀବନ ରକ୍ଷାକାରୀଙ୍କୁ ସମ୍ମାନିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ରାହ-ବୀର’ ଯୋଜନା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଆପଣଙ୍କୁ ୨୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ମିଳିପାରିବ।

କିଏ ଏହି ‘ରାହ-ବୀର’?
ଯେଉଁ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ସାହସର ସହିତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାନ୍ତି, ତାଙ୍କୁ ‘ରାହ-ବୀର’ କୁହାଯାଏ। ଏହି ଯୋଜନା ଅଧୀନରେ ଆହତଙ୍କୁ ‘ଗୋଲ୍ଡେନ୍ ଆୱାର’ (Golden Hour) ମଧ୍ୟରେ ଚିକିତ୍ସା ସହାୟତା ଯୋଗାଇଦେଲେ ୨୫,୦୦୦ ଟଙ୍କା ପୁରସ୍କାର ସହ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଏ। ଜଣେ ବ୍ୟକ୍ତି ବର୍ଷକୁ ସର୍ବାଧିକ ୫ ଥର ଏହି ସମ୍ମାନ ପାଇପାରିବେ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ସାହାଯ୍ୟକାରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରୋଗୀଙ୍କୁ ଭର୍ତ୍ତି କରିବା ପରେ ସାହାଯ୍ୟକାରୀଙ୍କୁ ସେଠାରେ ଅଟକିବାକୁ ବାଧ୍ୟ କରାଯିବ ନାହିଁ। ଆହତଙ୍କୁ ଡାକ୍ତରଖାନା ନେଇଥିବା ବ୍ୟକ୍ତି ଚିକିତ୍ସା ପାଇଁ ଟଙ୍କା ଦେବା ଜରୁରୀ ନୁହେଁ। ପୋଲିସ ସାହାଯ୍ୟକାରୀଙ୍କୁ FIR ଦେବାକୁ ବାଧ୍ୟ କରିପାରିବେ ନାହିଁ। ସାକ୍ଷୀ ହେବା ସମ୍ପୂର୍ଣ୍ଣ ରୂପେ ତାଙ୍କର ବ୍ୟକ୍ତିଗତ ପସନ୍ଦ। ଯଦି ସାହାଯ୍ୟକାରୀ ନିଜର ପରିଚୟ ଦେବାକୁ ଚାହୁଁନାହାନ୍ତି, ତେବେ ପୋଲିସ ବା ହସ୍ପିଟାଲ କର୍ତ୍ତୃପକ୍ଷ ଜବରଦସ୍ତି କରିପାରିବେ ନାହିଁ। କୌଣସି ବି ପୋଲିସ ଅଧିକାରୀ ରାହ-ବୀରଙ୍କୁ ହେପାଜତକୁ ନେଇପାରିବେ ନାହିଁ।

କ’ଣ ଏହି ‘ଗୋଲ୍ଡେନ୍ ଆୱାର’?
ଦୁର୍ଘଟଣା ଘଟିବାର ପ୍ରଥମ ଏକ ଘଣ୍ଟାକୁ ମେଡିକାଲ ବିଜ୍ଞାନରେ ‘ଗୋଲ୍ଡେନ୍ ଆୱାର’ କୁହାଯାଏ। ଏହି ସମୟ ମଧ୍ୟରେ ଯଦି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ମିଳେ, ତେବେ ମୃତ୍ୟୁ ହେବାର ଆଶଙ୍କା ବହୁତ କମିଯାଏ ଏବଂ ସେ ଜୀବନବ୍ୟାପୀ ବିକଳାଙ୍ଗ ହେବାରୁ ରକ୍ଷା ପାଇଯାଆନ୍ତି।

କିଏ ହୋଇପାରିବେ ରାହ-ବୀର?
ଏଥିପାଇଁ କୌଣସି ଡାକ୍ତରୀ ତାଲିମ କିମ୍ବା ବିଶେଷ ଉପକରଣର ଆବଶ୍ୟକତା ନାହିଁ। କେବଳ ମାନବିକତା ଏବଂ ସାହାଯ୍ୟ କରିବାର ଇଚ୍ଛା ଥିବା ଯେକୌଣସି ବ୍ୟକ୍ତି ଜଣେ ‘ରାହ-ବୀର’ ସାଜିପାରିବେ।

Dharitri – Odisha’s No.1 Odia Daily

Share