ନୂଆଦିଲ୍ଲୀ,୫ା୧: ଲୋକପ୍ରିୟ ସାମ୍ବାଦିକ ତଥା ‘ଦ ଲଲନଟପ୍’ (The Lallantop) ର ପ୍ରତିଷ୍ଠାତା ସମ୍ପାଦକ ସୌରଭ ଦ୍ଵିବେଦୀ ଇଣ୍ଡିଆ ଟୁଡେ ଗ୍ରୁପ୍ରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୧୨ ବର୍ଷର ସଫଳ ଯାତ୍ରା ପରେ ସେ ଏହି ସଂସ୍ଥାରୁ ଓହରି ଯାଉଥିବା ନେଇ ସୋମବାର ଇଣ୍ଡିଆ ଟୁଡେ ଗ୍ରୁପ୍ର ଭାଇସ୍ ଚେୟାରପର୍ସନ କଲ୍ଲି ପୁରୀ ଘୋଷଣା କରିଛନ୍ତି।
ସୌରଭଙ୍କ ବିଦାୟ ପରେ କୁଲଦୀପ ମିଶ୍ର ‘ଦ ଲଲନଟପ୍’ର ସମ୍ପାଦକୀୟ ଦାୟିତ୍ୱ ତୁଲାଇବେ ଏବଂ ରଜତ ସୈନ୍ ପ୍ରଡକ୍ସନ ଟିମ୍ର ନେତୃତ୍ୱ ନେବେ। ସୌରଭଙ୍କ ନେତୃତ୍ୱରେ ‘ଦ ଲଲନଟପ୍’ ୟୁଟ୍ୟୁବ୍ରେ ପ୍ରାୟ ୩୫ ମିଲିୟନ ସବସ୍କ୍ରାଇବର୍ ଏବଂ ମାସିକ ୨୫୦ ମିଲିୟନ ଭ୍ୟୁଜ୍ ସହ ଏକ ଶକ୍ତିଶାଳୀ ଡିଜିଟାଲ୍ ବ୍ରାଣ୍ଡ୍ରେ ପରିଣତ ହୋଇଛି।
ସେ ନିଜର ବ୍ୟକ୍ତିଗତ କ୍ରିଏଟିଭ୍ ପ୍ରୋଜେକ୍ଟ ଏବଂ ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସାମ୍ବାଦିକତାରେ ସରଳ ଏବଂ କଥାବାର୍ତ୍ତା ଶୈଳୀ ଆରମ୍ଭ କରି ସୌରଭ ହିନ୍ଦୀ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲେ।