ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର ସଦସ୍ୟ ତଥା ବିଶ୍ୱବ୍ୟାପୀ ‘ସ୍ଲିପିଂ ପ୍ରିନ୍ସ’ ନାମରେ ଜଣାଶୁଣା ଥିଲେ। ୨୦୦୫ ମସିହାରେ ମାତ୍ର ୧୮ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତା’ପରେ କୋମାରେ ରଖାଯାଇଥିଲା।

‘ସ୍ଲିପିଂ ପ୍ରିନ୍ସ’ କିଏ ଥିଲେ?
ପ୍ରିନ୍ସ ଆଲୱାଲିଦ ବିନ ଖାଲିଦ ହେଉଛନ୍ତି ସାଉଦୀ ଆରବର ବ୍ୟବସାୟୀ ପ୍ରିନ୍ସ ଖାଲିଦ ବିନ ତାଲାଲଙ୍କ ପୁତ୍ର। ସେ ସଉଦୀର ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ରାଜ ପରିବାରର ସଦସ୍ୟ ଥିଲେ। ୨୦୦୫ରେ ଏକ କାର ଦୁର୍ଘଟଣା ପରେ ସେ କୋମାରେ ଚାଲିଯାଇଥିଲେ। ତାଙ୍କ ପରିବାର କେବେ ହାର ମାନି ନ ଥିଲେ। ୨୦ ବର୍ଷ ଧରି ତାଙ୍କୁ ଜୀବନରକ୍ଷା ପ୍ରଣାଳୀ ମାଧ୍ୟମରେ ବଞ୍ଚାଇ ରଖିଥିଲେ।

କାହିଁକି ତାଙ୍କୁ ‘ସ୍ଲିପିଂ ପ୍ରିନ୍ସ’ କୁହାଯାଉଥିଲା?
ବର୍ଷ ବର୍ଷ ଧରି ତାଙ୍କ ଅବସ୍ଥା ଅପରିବର୍ତ୍ତିତ ରହିଥିଲା। ସେ ନା କଥା କହି ପାରୁଥିଲେ, ନ ହଲଚଲ ହୋଇପାରୁଥିଲେ। କେବଳ ତାଙ୍କ ଆଖିପତା ବେଳେବେଳେ ସାମାନ୍ୟ ହଲଚଲ କରୁଥିଲା। ସୋସିଆଲ ମିଡିଆରେ ତାଙ୍କର ହସ୍ପିଟାଲ ବେଡ୍‌ରେ ଥିବା ଫଟୋ ପ୍ରାୟତଃ ଭାଇରାଲ ହେଉଥିଲା, ଯେଉଁଥିପାଇଁ ତାଙ୍କୁ ‘ସ୍ଲିପିଂ ପ୍ରିନ୍ସ’ ନାମ ଦିଆଯାଇଥିଲା।

‘ସ୍ଲିପିଂ ପ୍ରିନ୍ସ’ଙ୍କ ସମ୍ପତ୍ତି କେତେ ଥିଲା?
ପ୍ରିନ୍ସ ଆଲୱାଲିଦଙ୍କର ନିଜସ୍ବ ଆୟ ନଥିଲା, କାରଣ ସେ ଯୁବାବସ୍ଥାରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲେ। ତଥାପି ସେ ସଉଦୀ ଅରବର ସବୁଠାରୁ ଧନୀ ପରିବାରର ଜଣେ ସଦସ୍ୟ ଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କ ଜେଜେ ପ୍ରିନ୍ସ ଆଲୱାଲିଦ ବିନ ତାଲାଲଙ୍କ ସମ୍ପତ୍ତି ପ୍ରାୟ ୧୮-୨୦ ବିଲିୟନ ଡଲାର (ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କା)। ତାଙ୍କ ପିତା ପ୍ରିନ୍ସ ଖାଲିଦ ବିନ ତାଲାଲ ମଧ୍ୟ ଜଣେ କୋଟିପତି। ପରିବାରର ମୋଟ ସମ୍ପତ୍ତି ୨୫ ବିଲିୟନ ଡଲାରରୁ ଅଧିକ ଆକଳନ କରାଯାଏ। ତେଣୁ ପ୍ରିନ୍ସ ଆଲୱାଲିଦ ଏକ ଅତ୍ୟନ୍ତ ସମ୍ପନ୍ନ ରାଜ ବଂଶର ଅଂଶ ଥିଲେ।

୨୦ ବର୍ଷ ଧରି ICUରେ କାହିଁକି ରଖାଯାଇଥିଲା?
ପରିବାରର ବିଶ୍ୱାସ ଥିଲା ଯେ ଭଗବାନ ତାଙ୍କୁ ସୁସ୍ଥ କରିଦେବେ। ତାଙ୍କ ପିତା ଚିକିତ୍ସା ବନ୍ଦ କରିବା କିମ୍ବା ଜୀବନରକ୍ଷା ସିଷ୍ଟମ ହଟାଇବାକୁ ମନା କରିଦେଇଥିଲେ। କିଛି ସମୟରେ ସାମାନ୍ୟ ପ୍ରତିକ୍ରିୟା ଦେଖିବା ପରେ ପରିବାରକୁ ଆଶା ଥିଲା ଯେ ସେ ଦିନେ ସୁସ୍ଥ ହେବେ।

ଶେଷ ସମୟ:
ପ୍ରିନ୍ସ ଆଲୱାଲିଦଙ୍କ ମୃତ୍ୟୁର ପୁଷ୍ଟି ତାଙ୍କ ଜେଜେ ପ୍ରିନ୍ସ ଆଲୱାଲିଦ ବିନ ତାଲାଲ କରିଛନ୍ତି। ସୋସିଆଲ ମିଡିଆରେ ହଜାର ହଜାର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅରବ ଜଗତରେ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା, କାରଣ ୨୦ ବର୍ଷ ଧରି ଲୋକଙ୍କ ଆଶା ଏହି ଯୁବ ପ୍ରିନ୍ସଙ୍କ ସହ ଜଡ଼ିତ ଥିଲା।