ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ୟେମେନର ମୁକାଲ୍ଲା ବନ୍ଦରରେ ଠିଆ ହୋଇଥିବା UAE ର ଦୁଇଟି ସାମରିକ ଜାହାଜ ଉପରେ ସାଉଦି ଆରବ ମଙ୍ଗଳବାର ଏୟାରଷ୍ଟ୍ରାଇକ୍ କରିଛି। ଏହି ଜାହାଜଗୁଡ଼ିକ ବିଦ୍ରୋହୀ ଗୋଷ୍ଠୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧାସ୍ତ୍ର ନେଇ ଆସିଥିବା ସାଉଦି ଅଭିଯୋଗ କରିଛି।
ସାଉଦି ଆରବର ଅଭିଯୋଗ ଯେ, UAE ରୁ ଆସିଥିବା ଦୁଇଟି ଜାହାଜ ୟେମେନର ବିଦ୍ରୋହୀ ସାଉଦର୍ଣ୍ଣ ଟ୍ରାଞ୍ଜିସନାଲ କାଉନସିଲ (STC) ପାଇଁ ବହୁ ପରିମାଣର ସାମରିକ ଯାନ ଓ ଅସ୍ତ୍ରଶସ୍ତ୍ର ଆଣିଥିଲା। ଏହା ସାଉଦିର ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହି ଆକ୍ରମଣ କରାଯାଇଛି।
ସାଉଦି ଆରବ ପକ୍ଷରୁ UAE କୁ କଡ଼ା ଚେତାବନୀ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୟେମେନରୁ ନିଜର ସମସ୍ତ ସେନା ପ୍ରତ୍ୟାହାର କରିବାକୁ ସାଉଦି ଅଲ୍ଟିମେଟମ୍ ଦେଇଛି।
ଏହି ଘଟଣା ପରେ ୟେମେନ ସରକାର ଦେଶରେ ୯୦ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହାସହ UAE ସହିତ ଥିବା ଯୁଗ୍ମ ପ୍ରତିରକ୍ଷା ଚୁକ୍ତିକୁ ମଧ୍ୟ ରଦ୍ଦ କରାଯାଇଛି। ୟେମେନର ଆକାଶ ମାର୍ଗ, ସମୁଦ୍ର ଏବଂ ସ୍ଥଳପଥରେ ୭୨ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ନାକାବନ୍ଦୀ ଲାଗୁ କରାଯାଇଛି।
ୟେମେନର ବିଦ୍ରୋହୀ ଗୋଷ୍ଠୀ STC ନିକଟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଦେଶ ଦଖଲ କରିବା ପରେ ସାଉଦି ଏବଂ UAE ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା। STC କୁ UAE ସମର୍ଥନ କରୁଥିବା ବେଳେ ସାଉଦି ଏହାକୁ ଏକ ‘ଅବୈଧ ବିଦ୍ରୋହ’ ବୋଲି କହିଛି। ଏହି ଘଟଣା ଫଳରେ ମଧ୍ୟପ୍ରାଚ୍ୟରେ ଏକ ନୂଆ ଯୁଦ୍ଧର ଆଶଙ୍କା ଦେଖାଦେଇଛି।