ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର): କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳରେ ଭତ୍ତା ଟଙ୍କା ଆତ୍ମସାତ ଘଟଣାରେ ସହକାରୀ ଯନ୍ତ୍ରୀଙ୍କ ଅଡ଼ୁଆ ବଢଛି। ଏହି ଘଟଣାକୁ ନେଇ ଭଦ୍ରେଶ୍ୱର ଥାନାରେ ସରପଞ୍ଚ କମଳାକାନ୍ତ ରାଉତ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତରେ ଗତ ଜୁନ ମାସର ଭତ୍ତା ବଣ୍ଟନ ଦାୟିତ୍ୱରେ ବ୍ଲକର ସହକାରୀ ଯନ୍ତ୍ରୀ ମୋନାଲିସା ମଲ୍ଲିକ ଥିଲେ। ଏହି ଭତ୍ତା ବଣ୍ଟନ ପାଇ ଯନ୍ତ୍ରୀ ମୋନାଲିସାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୫ ଲକ୍ଷ ୩୨ ହଜାର ଟଙ୍କା ଦିଆ ଯାଇଥିଲା । ତେବେ ମୋନାଲିସା କେତେଜଣ ହାତଗଣତି ହିତାଧିକାରୀଙ୍କୁ ଏହି ଭତ୍ତା ଟଙ୍କା ପ୍ରଦାନ କରି ଉଭାନ ହୋଇ ଯାଇଥିଲେ। ଯାହା ଫଳରେ ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ଏପରିକି ଯନ୍ତ୍ରୀ ଭତା ବାବଦକୁ କେତେ ଟଙ୍କା ବଣ୍ଟନ କଲେ, କେତେ ଟଙ୍କା ତାଙ୍କ ନିକଟରେ ରହିଲା ତାହାର ମଧ୍ୟ ହିସାବ ବ୍ଲକ ପ୍ରଶାସନକୁ ଦେଇ ନଥିଲେ ମୋନାଲିସା । ତେବେ ଏହି ଘଟଣାକୁ ୧ ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିବାରୁ ସରକାରୀ ଅର୍ଥ ଆତ୍ମସାତ ନେଇ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ସରପଞ୍ଚ କମଳାକାନ୍ତ। ଏହାକୁ ନେଇ ଯନ୍ତ୍ରୀ ମୋନାଲିସାଙ୍କ ବିରୁଦ୍ଧରେ ଭଦ୍ରେଶ୍ୱର ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ।