ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସାସ୍ଥ୍ୟ ମନ୍ତ୍ରୀଙ୍କ ଫଟୋ ପୋଷ୍ଟର ହଟାଇବା ଅଭିଯୋଗରେ ଗୁରୁବାର ରାତିରେ ଲୋଇସିଂହା ପୋଲିସ ବେନ୍ଦ୍ରା ସରପଞ୍ଚ ରବୀନ୍ଦ୍ର ସାହୁ ଓ ସମିତି ସଭ୍ୟଙ୍କ ସ୍ବାମୀ ଉତ୍ତମ ଭୋଇଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ଏହି ଖବର ପାଇ ପୂର୍ବତନ ଏମପି ମିଶ୍ର ଥାନାକୁ ଆସି ସେମାନଙ୍କୁ ବିନା କାରଣରେ କାହିଁକି ଅଟକ ରଖାଯାଇଛି କହି ମଧ୍ୟାହ୍ନରେ ଧାରଣା ଦେଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରାମପୁର ଗସ୍ତ ସରିବା ପରେ ଅପରାହ୍ନ ୨ଟାରେ ଅଟକଙ୍କୁ ପୋଲିସ ବ୍ୟକ୍ତିଗତ ମୁଚଲିକାରେ ଛାଡିଥିଲା। ଏହାପରେ ଧାରଣାରେ ବସିଥିବା ପୂର୍ବତନ ଏମପି ମିଶ୍ର ୨ ଘଣ୍ଟା ପରେ ଧାରଣାରୁ ଓହରିଥିଲେ। ଏହି ଅଟକକୁ ଅଗଣତାନ୍ତ୍ରିକ କହି ପୋଲିସ ଉପରେ ବର୍ଷିଥିଲେ। ଅଭିଯୋଗ ପାଇବା ପରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଅଟକ ରଖାଯାଇଥିବା ଆଇଆଇସି ଲୁଗୁନ କହିଛନ୍ତି।