ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି। ସରପଞ୍ଚ ପଦ୍ମିନୀ ନାୟକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଆଜି ଏଥିପାଇଁ ୱାର୍ଡ ସଭ୍ୟମାନେ ଭୋଟ ଦେଇଛନ୍ତି। ତେବେ ସରପଞ୍ଚଙ୍କ ସପକ୍ଷରେ କୌଣସି ୱାର୍ଡ ସଭ୍ୟ ନ ଥିବାରୁ ସେ ଆଜି ଜାଣି ଶୁଣି ଭୋଟ ଦାନରୁ ବିରତ ରହିଥିବା କିଛି ୱାର୍ଡ ସଭ୍ୟ କହିଛନ୍ତି। ଆଜି ଅନାସ୍ଥା ଉପରେ ଭୋଟ ହୋଇଥିଲେ ମଧ୍ୟ ଫଳାଫଳ ଘୋଷଣା କରାଯାଇନାହିଁ। ତେବେ ଆଜିର ଅନାସ୍ଥା ଭୋଟିଂ ସମୟରେ କୌଣସି ବିଶୃଙ୍ଖଳା ହୋଇ ନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ଭୋଟିଂ ପାଇଁ ଆନନ୍ଦପୁର ଉପଜିଲାପାଳ ପୂର୍ବରୁ ସୂଚନା ଦେଇଥିଲେ। ତେବେ ଉକ୍ତଦିନ ହଠାତ୍‌ ଏହାର ଭୋଟିଂକୁ ବାତିଲ କରାଯାଇ ଡିସେମ୍ବର ୧୯ ତାରିଖ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସେହି ଆଧାରରେ ଆଜି ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥା ପାଇଁ ହେବାକୁ ଥିବା ସତନ୍ତ୍ର ବୈଠକ ନିମନ୍ତେ ଉପଜିଲାପାଳଙ୍କ ଚିଠିକୁ ବିରୋଧ କରି ସରପଞ୍ଚ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ଧାର୍ଯ୍ୟ ତାରିଖରେ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ନିଜ ରାୟରେ ଉଲ୍ଲେଖ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି।ଏହି ଭୋଟିଂ ବ୍ୟବସ୍ଥା ଆସି ଭୋଟିଂ ଶୁକ୍ରବାର ଶାନ୍ତିଶୃଙ୍ଖଳା ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଭୋଟିଂ ସମୟରେ କଣ୍ଟିପାଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଏଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଳିସ ଫୋର୍ସ ମୁତୟନ କରାଯାଇଥିଲା। ଆନନ୍ଦପୁର ଥାନା ଅଧିକାରୀ ଫନିନ୍ଦ୍ର ନାୟକ, ଆନନ୍ଦପୁର ତହସିଲଦାର ପଲ୍ଲବୀ ପ୍ରିୟଦର୍ଶିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily