Free Matteo Pellicone wrestling: Sarita bags silver in 57kg
ଅଲମାଟି, ୧୬ା୪ (ପି.ଟି.)-ଭାରତର ସରିତା ମୋର୍ ଏସିଆନ୍ ରେସ୍ଲିଂ ଚାମ୍ପିୟନଶିପ୍ ୫୯କେଜି ଶ୍ରେଣୀରେ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ସୀମା ବିସ୍ଲା (୫୦କେଜି) ଓ ପୂଜା (୭୬କେଜି) ସେମାନଙ୍କ ବିଭାଗରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦୨୦ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ଜିତିଥିବା ସରିତା ଫାଇନାଲ ମୁକାବିଲାରେ ମଙ୍ଗୋଲିଆର ଶୁଭଦୋର୍ ବାଟାରଜାଭ୍ଙ୍କୁ ୧୦-୭ରେ ହରାଇ ଦେଇଛନ୍ତି। ୨୦୧୮ ବିଶ୍ୱଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ମୁକାବିଲା ପରଠାରୁ ଏହା ତାଙ୍କ ପାଇଁ ଏକ କଷ୍ଟସାଧ୍ୟ ବିଜୟ ଥିଲା ବୋଲି ସରିତା ପ୍ରକାଶ କରିଛନ୍ତି। ମଙ୍ଗୋଲିଆନ ବକ୍ସରଙ୍କ ବିପକ୍ଷ ଲଢେଇ ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲେ। ପ୍ରଥମ ବାଉଟ୍ରେ ହାରିଯାଇଥିଲେ, ମାତ୍ର ରଣକୌଶଳକୁ କାର୍ଯ୍ୟକାରୀ କରି କ୍ରମାଗତ ୯ପଏଣ୍ଟ ସହ ବିଜୟ ହାସଲ କରିଥିଲେ। ୫୦କେଜି ଶ୍ରେଣୀରେ କାଜାଖସ୍ତାନର ଭାଲେଣ୍ଟିନା ଇଭାନୋଭ୍ନାଙ୍କ ବିପକ୍ଷରେ ସୀମାଙ୍କ ଆରମ୍ଭ ଉତ୍ସାହଜନକ ନ ଥିଲା। ମାତ୍ର ପରବର୍ତ୍ତୀ ରାଉଣ୍ଡରେ ଦୃଢ ପ୍ରତ୍ୟାବର୍ତ୍ତନ ସହ ମଙ୍ଗୋଲିଆର ଅନୁଦାରି ନନ୍ଦିନସେତ୍ସେଗ୍ଙ୍କୁ ୭-୩ରେ ହରାଇ ଦେଇଥିଲେ। ସେମିଫାଇନାଲରେ ତାଙ୍କୁ ଉଜ୍ବେକିସ୍ତାନର ଜସ୍ମିନା ଇମାଏଭାଙ୍କଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ୨-୩ରେ ଏହି ଲଢେଇ ହାରିଯାଇଥିଲେ। ଭାରତୀୟ ମହିଳା ବକ୍ସର ପରେ ଟେକ୍ନିକାଲ ସୁପରିଅରିଟିରେ ତାଇପେର ୟୁଙ୍ଗ୍ ହୁନ୍ ଲିନ୍ଙ୍କୁ ହରାଇ ବ୍ରୋଞ୍ଜ ଜିତିଥିଲେ। ସେହିପରି ପୂଜା ସେମିଫାଇନାଲରେ କାଜାଖସ୍ତାନର ଇଲମିରା ସିଜ୍ଦିକୋଭଙ୍କଠାରୁ ପରାଜିତ ହୋଇଥିଲେ। ମାତ୍ର କୋରିଆର ସିୟନ ଜେଅଙ୍ଗ୍ଙ୍କ ବିପକ୍ଷରେ ୫-୨ରେ ବିଜୟ ହାସଲ କରି ବ୍ରୋଞ୍ଜ ପାଇଥିଲେ।