ସର୍ଗିଫୁଲ ମହୋତ୍ସବ: ସାମ୍ନାକୁ ଆସିବ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା

ଦାରିଙ୍ଗବାଡି,୧୧।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ମଙ୍ଗଳବାର ବ୍ଲକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ଇନଚାର୍ଜ ପ୍ରିନ୍ସପାଲ ସୋନାଲିକା ପୃଷ୍ଟି ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ।

ଏହି ମହୋତ୍ସବରେ ଛାତ୍ରୀଛାତ୍ରମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ବକ୍ତୃତା, ଚିତ୍ରାଙ୍କନ, ଏକକ ଅଭିନୟ, ସଙ୍ଗୀତ, ନୃତ୍ୟ ସମେତ ବିଭିନ୍ନ ପ୍ରତିଯୋଗିତା କରାଯାଇଛି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯାଉଛି। ବ୍ଲକ ସ୍ତରରେ ଯେଉଁମାନେ କୃତିତ୍ୱ ଅର୍ଜନ କରିବେ ସେମାନେ ଜିଲ୍ଲା ସର୍ଗିଫୁଲ ମହୋତ୍ସବରେ ଯୋଗଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ସେଠାରେ କୃତିତ୍ୱ ହୋଇଥିବା ଛାତ୍ରୀଛାତ୍ରମାନେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ଉଲିପଦର, ବୁଡ଼ାଗୁଡା କନ୍ୟାଶ୍ରମ, ଅଲିମାହା ସମେତ ବ୍ଲକ ଅଧୀନରେ ରହିଥିବା ଅନୁସୂଚିତ ଜନଜାତି ଓ ଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗର ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଯୋଗଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକମାନେ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily