‘କୃଷକଙ୍କ ଅଧିକାର ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ ସର୍ଦ୍ଦାର ପଟେଲ’

ଜି.ଉଦୟଗିରି,୩୧।୧୦(ଚିନ୍ମୟ କୁମାର ସେଠୀ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଣ ଦୌଡ଼ ଆୟୋଜନ କରାଯାଇଥିଲା।

ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅୟୋଜିତ ଏହି ରନ୍‌ ଫର୍‌ ୟୁନିଟି କାର୍ଯ୍ୟକ୍ରମରେ ଶତାଧିକ ଯୁବକଙ୍କ ସହ ବୟସ୍କ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଖଣ୍ଡ ଭାରତର ପରିକଳ୍ପନାକୁ ସମ୍ମାନ ଜଣାଇ ଦେଶବାସୀ ଏକତା ଓ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଥିଲା। ଏପରିକି କୃଷକଙ୍କ ଅଧିକାର ପାଇଁ ସର୍ଦ୍ଦାର ପଟେଲ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମତପ୍ରକାଶ ପାଇଥିଲା।

ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ପୋଷ୍ଟ ଅଫିସ ଛକରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ମହିଳା ଇନ୍ସପେକ୍ଟର ରଞ୍ଜିତା ବେହେରା, ଏସ୍‌ଆଇ କାମରାଜୁ ରେଡ୍ଡି, ଏସ୍‌ଆଇ ରୂପକ ଦଲେଇ, ଏଏସ୍‌ଆଇ ରବୀନ୍ଦ୍ରନାଥ ସେଠୀ, ବୁଲୁ ବେହେରା, ବଣ୍ଟି ଦଣ୍ଡିଆଙ୍କ ସହ ସମସ୍ତ ମହିଳା ପୁରୁଷ ପୋଲିସ ବାହିନୀ ଉପସ୍ଥିତ ଥିବା ବେଳେ ସହରବାସୀ ଏବଂ କଲେଜର ଛାତ୍ରୀଛାତ୍ର ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily