ଦିଲ୍ଲୀ କ୍ୟାପିଟାଲ୍ସରେ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? କେବଳ ଏଇଠି ଅଟକିଛି ଡିଲ୍‌

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ ୨୦୨୬ ସିଜନ ପୂର୍ବରୁ ସଞ୍ଜୁ ସାମସନ ଏବଂ  ରାଜସ୍ଥାନ ରୟାଲ୍ସ ଦଳ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଦଳ ପରିଚାଳନାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ସେ ପରବର୍ତ୍ତୀ ସିଜନ୍‌ ଦଳରେ ରହିବେ ନାହିଁ। ଏହାପାଇଁ ସେ ନିଜକୁ ଟ୍ରେଡ କରିବାକୁ ନଚେତ ଅକ୍ସନରେ ରିଲିଜ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ ଏବେ ସଞ୍ଜୁଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ସଞ୍ଜୁଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏହି ଡିଲ ଏତେ ବି ସହଜ ନୁହେଁ।
ଆଇପିଏଲ ୨୦୨୬ ସିଜନ୍‌ରେ ଫ୍ରାଞ୍ଚାଇଜ ଦଳମାନଙ୍କ ମଧ୍ୟରେ ଖେଳାଳିଙ୍କ କ୍ରୟ-ବିକ୍ରୟ ଓ ରିଟେନ୍‌ଶନକୁ ନେଇ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନର ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ନିଜ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଦଳ ସଞ୍ଜୁଙ୍କୁ ଆଇପିଏଲ୍‌ ଟ୍ରେଡ ୱିଣ୍ଡୋ ମାଧ୍ୟମରେ କିଣିବାକୁ ଚାହୁଁଛି। କିନ୍ତୁ ପ୍ରଶ୍ନ ହେଉଛି, କେଉଁ ଖେଳାଳିଙ୍କ ବଦଳରେ ଏହା ସମ୍ଭବ ହେବ?
ଆଇପିଏଲ ୨୦୨୫ ସମୟରେ ସାମସନ ଓ ରାଜସ୍ଥାନ ମଧ୍ୟରେ କିଛି ମତଭେଦର ଖବର ଆସିଥିଲା, ଯେଉଁଥିଲାଗି ସେ ନୂଆ ଦଳକୁ ଯିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି। କିନ୍ତୁ ଟ୍ରେଡର ପଥ ସହଜ ନୁହେଁ। ରାଜସ୍ଥାନ ସଞ୍ଜୁଙ୍କୁ ସହଜରେ ଯିବାକୁ ଦେବ ନାହିଁ, କାରଣ ସେମାନେ ନିଜ କୋର୍‌ ଦଳକୁ ମଜବୁତ ରଖିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅନେକ ଯୁବ ଓ ଅନୁଭବୀ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଟ୍ରେଡ ଟେବୁଲ୍‌ରେ ରଖାଯାଇପାରେ। କିନ୍ତୁ ଦିଲ୍ଲୀ ଦଳ ନିଶ୍ଚିତ କରିନାହିଁ ଯେ କେଉଁ ଖେଳାଳିକୁ ରାଜସ୍ଥାନ ସହିତ ଟ୍ରେଡ କରିପାରିବ।
ଆଇପିଏଲ ଟ୍ରେଡ ୱିଣ୍ଡୋ କ’ଣ?
ଆଇପିଏଲ ଟ୍ରେଡ ୱିଣ୍ଡୋ ଏକ ନିୟମ ହେଉଛି ଯାହା ଅଧୀନରେ ଦଳମାନେ ଅକ୍ସନ ପୂର୍ବରୁ କିମ୍ବା ପରେ ଖେଳାଳିଙ୍କ ଅଦଳ-ବଦଳ କରିପାରନ୍ତି। ବର୍ତ୍ତମାନ ଆଇପିଏଲ ୨୦୨୬ ପାଇଁ ଟ୍ରେଡ ୱିଣ୍ଡୋ ଖୋଲା ରହିଛି। ଆଇପିଏଲ ସିଜନ ଶେଷ ହେବାର ଏକ ମାସ ପରେ ଟ୍ରେଡ ୱିଣ୍ଡୋ ଖୋଲିଥାଏ, ଯାହା ଅକ୍ସନ୍‌ରୁ ଏକ ସପ୍ତାହ ପୂର୍ବଯାଏଁ ଖୋଲା ରହେ। ଏହା ଅଧୀନରେ ଫ୍ରାଞ୍ଚାଇଜ ଦଳମାନେ ନିଜ ନିଜ ଖେଳାଳିଙ୍କ ଅଦଳ-ବଦଳ କରିପାରନ୍ତି। କିମ୍ବା ଦଳ ଖେଳାଳିକୁ ଟ୍ରେଡ କରୁଥିବା ଫ୍ରାଞ୍ଚାଇଜ୍‌ ବଦଳରେ ଟଙ୍କା ଦେଇପାରେ।
Dharitri – Odisha’s No.1 Odia Daily