କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମାତ୍ର ୫୨ ବଲ୍‌ରୁ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଗତ ତିନୋଟି ମ୍ୟାଚ୍‌ରେ ଫ୍ଲପ୍‌ ହେବା ପରେ ସଞ୍ଜୁ ଏହି ଦମଦାର ଇନିଂସ ଖେଳି ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ସିଜନରେ ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଟର।

ସଞ୍ଜୁ ନିଜର ଶତକୀୟ ପାଳିରେ ୧୪ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି। ସେ ମାତ୍ର ୨୬ ବଲ୍‌ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ଦଳକୁ ଏକ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଏହା ହେଉଛି ଆଇପିଏଲ କ୍ୟାରିୟରରେ ସଞ୍ଜୁଙ୍କ ଚତୁର୍ଥ ଶତକ।

ଏହି ଶତକ ସହିତ ସଞ୍ଜୁ ସାମସନ ଟି-୨୦ କ୍ରିକେଟରେ ନିଜର ୪୦୦ତମ ଛକା ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର ହେବାର ଗୌରବ ହାସଲ କରିଛନ୍ତି।

ଖେଳାଳିଙ୍କ ନାମ ଛକା ସଂଖ୍ୟା
ରୋହିତ ଶର୍ମା ୫୫୪
ସୂର୍ଯ୍ୟକୁମାର ଯାଦବ ୪୪୨
ବିରାଟ କୋହଲି ୪୪୧
ସଞ୍ଜୁ ସାମସନ ୪୦୦

ଆଇପିଏଲ୍‌ରେ ସଞ୍ଜୁଙ୍କ ଏହି ଶତକ ପାଇଁ ଫ୍ୟାନ୍ସଙ୍କୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ସେ ନିଜର ଶେଷ ଶତକ ୨୦୨୧ରେ ପଞ୍ଜାବ ବିପକ୍ଷରେ ହାସଲ କରିଥିଲେ। ଏହାପୂର୍ବରୁ ସେ ୨୦୧୯ରେ ହାଇଦ୍ରାବାଦ ଏବଂ ୨୦୧୭ରେ ପୁଣେ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିଲେ।

ସଞ୍ଜୁଙ୍କ ଏହି ଧୂଆଁଧାର ବ୍ୟାଟିଂ ଯୋଗୁ ଚେନ୍ନାଇ ସୁପର କିଙ୍ଗସ ଦିଲ୍ଲୀ ବିପକ୍ଷରେ ଏକ ମଜବୁତ ସ୍ଥିତିରେ ପହଞ୍ଚିପାରିଛି। ସଞ୍ଜୁ ପ୍ରମାଣ କରିଛନ୍ତି ଯେ ସେ ଯେତେବେଳେ ଫର୍ମରେ ଥାନ୍ତି, ଦୁନିଆର ଯେକୌଣସି ବୋଲିଂ ଆଟାକ୍‌କୁ ଧ୍ୱସ୍ତ କରିପାରନ୍ତି।

Dharitri – Odisha’s No.1 Odia Daily