ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି। ତେବେ ଏହି ଐତିହାସିକ ସ୍କୋର ପଛରେ ଇଂଲଣ୍ଡର ଏକ ବଡ଼ ଭୁଲ ମଧ୍ୟ ରହିଛି, ଯାହା ସେମାନଙ୍କୁ ୭୪ ରନର ପେନାଲ୍ଟି ବା ‘ଦଣ୍ଡ’ ସଦୃଶ ମହଙ୍ଗା ପଡ଼ିଛି।
ଭାରତୀୟ ଇନିଂସର ଦ୍ୱିତୀୟ ଓଭରରେ ଅଭିଷେକ ଶର୍ମା ଶସ୍ତାରେ ଆଉଟ ହେବା ପରେ ଇଂଲଣ୍ଡ ଚାପ ପକାଇବାକୁ ଚେଷ୍ଟା କରିଥିଲା। ତୃତୀୟ ଓଭରରେ ଜୋଫ୍ରା ଆର୍ଚ୍ଚରଙ୍କ ବଲରେ ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନ ମିଡ୍-ଅନ୍ ଉପରେ ଏକ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍ ସେଠାରେ ଫିଲ୍ଡିଂ କରୁଥିଲେ ଏବଂ ବଲ୍ ସିଧା ତାଙ୍କ ହାତକୁ ଆସିଥିଲା। ସେହି ସମୟରେ ସଞ୍ଜୁ ମାତ୍ର ୧୫ ରନ୍ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବ୍ରୁକ୍ଙ୍କ ହାତରୁ ବଲ ଖସି ପଡ଼ିଥିଲା ଏବଂ ସଞ୍ଜୁଙ୍କୁ ଏକ ବଡ଼ ଜୀବନଦାନ ମିଳିଥିଲା।
ଏହି ଜୀବନଦାନ ପରେ ସଞ୍ଜୁ ସାମସନ ଇଂଲଣ୍ଡ ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ। ସେ ମାତ୍ର ୨୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଷ୍ଟାଡିୟମର ଚାରିଆଡ଼େ ଛକା-ଚୌକାର ବର୍ଷା କରିଥିଲେ। ଶେଷରେ ୧୪ତମ ଓଭରରେ ସେ ଯେତେବେଳେ ଆଉଟ ହେଲେ, ସେତେବେଳକୁ ସେ ୪୨ ବଲରେ ୮୯ ରନର ଏକ ମାରାଥନ ଇନିଂସ ଖେଳି ସାରିଥିଲେ। ଅର୍ଥାତ କ୍ୟାଚ୍ ଛାଡ଼ିବା ପରେ ସେ ଇଂଲଣ୍ଡ ବିପକ୍ଷରେ ଅତିରିକ୍ତ ୭୪ ରନ ଯୋଡ଼ିଥିଲେ, ଯାହା ଇଂଲଣ୍ଡ ପାଇଁ ଏକ ବଡ଼ ‘ପେନାଲ୍ଟି’ ସଦୃଶ ଥିଲା।
କେବଳ ସଞ୍ଜୁ ନୁହଁନ୍ତି, ଦଳର ଅନ୍ୟ ବ୍ୟାଟରମାନେ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ସଞ୍ଜୁଙ୍କ ୮୯ ରନ୍ ସହ ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଛୋଟ କିନ୍ତୁ ବିସ୍ଫୋରକ ଇନିଂସ ଭାରତକୁ ୨୫୩ ରନର ପାହାଡ଼ ସଦୃଶ ସ୍କୋରରେ ପହଞ୍ଚାଇଥିଲା। ୱାଙ୍ଖେଡେର ମଇଦାନରେ ଏତେ ବଡ଼ ଲକ୍ଷ୍ୟ ହାସଲ କରିବା ଇଂଲଣ୍ଡ ପାଇଁ ଏକ ପ୍ରକାର ଅସମ୍ଭବ ମନେ ହେଉଛି।