ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର ସଞ୍ଜୁ ସାମସନ ଏକ ଦମଦାର ଶତକ ହାସଲ କରିଥିଲେ। ମାତ୍ର ୫୨ ବଲରେ ଶତକ ପୂରଣ କରି ସଞ୍ଜୁ ୧୧୫ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ୧୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ସଞ୍ଜୁଙ୍କ ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି।

ଶତକ ହାସଲ କରିବା ପରେ ମିଡ-ଇନିଂସ ବ୍ରେକ ସମୟରେ ସଞ୍ଜୁ ଏକ ମଜାଦାର ବୟାନ ଦେଇଛନ୍ତି। ସେ ପୂର୍ବତନ ଭାରତୀୟ କୋଚ ରବି ଶାସ୍ତ୍ରୀଙ୍କୁ ନିଜର ‘ଲକି ଚାର୍ମ’ ବୋଲି କହିଛନ୍ତି। ସଞ୍ଜୁ ହସି ହସି କହିଥିଲେ, “ଖୁବ ଭଲ ଲାଗୁଛି। ଧନ୍ୟବାଦ ରବି ଶାସ୍ତ୍ରୀ ସାର୍‌, ଆପଣ ମୋ ପାଇଁ ଭାଗ୍ୟଶାଳୀ ମନେ ହେଉଛନ୍ତି। ଦୟାକରି ପ୍ରତି ମ୍ୟାଚକୁ ଆସନ୍ତୁ।”

ନିଜ ଫର୍ମ ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ, କ୍ରମାଗତ କିଛି ବିଫଳତା ପରେ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା, କିନ୍ତୁ ସେ ନିଜର ’ବେସିକ୍ସ’ ଉପରେ ଧ୍ୟାନ ଦେଇଥିଲେ ଯାହା ଶେଷରେ କାମ ଦେଲା।

ସେହିଭଳି ପିଚ୍‌ ସମ୍ପର୍କରେ ସୂଚନା ଦେଇ ସଞ୍ଜୁ କହିଛନ୍ତି, “ଆରମ୍ଭରୁ ବଲ୍‌ ଟିକେ ଅଟକି ଅଟକି ଆସୁଥିଲା, ବିଶେଷ କରି ଅକ୍ଷର ପଟେଲ ବୋଲିଂ କଲା ବେଳେ। କିନ୍ତୁ ସମୟ ଗଡ଼ିବା ସହିତ ଏହା ବ୍ୟାଟରଙ୍କ ପାଇଁ ସହଜ ହୋଇଗଲା। ଆୟୁଷଙ୍କ ସହ ବ୍ୟାଟିଂ କରିବା ଏକ ଭଲ ଅନୁଭବ ଥିଲା।”

ସଞ୍ଜୁଙ୍କ ପାଇଁ ଏହା ଚଳିତ ସିଜନର ପ୍ରଥମ ଶତକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଇପିଏଲ ଇତିହାସରେ ସଞ୍ଜୁ ଚତୁର୍ଥ ଥର ପାଇଁ ଶତକ ହାସଲ କରିଛନ୍ତି। ଏକ ସଂଯୋଗ ହେଉଛି ଯେ, ସେ ୨୦୧୭, ୨୦୧୯ ଏବଂ ୨୦୨୧ ମସିହାରେ ମଧ୍ୟ ସିଜନର ପ୍ରଥମ ଶତକ ହାସଲ କରିଥିଲେ ଏବଂ ଏବେ ୨୦୨୬ରେ ମଧ୍ୟ ସେହି ଧାରା ବଜାୟ ରଖିଛନ୍ତି।

Dharitri – Odisha’s No.1 Odia Daily