ସରଫରାଜଙ୍କ ପ୍ରତି ଅନ୍ୟାୟ କଲେ ରୋହିତ-ଗମ୍ଭୀର!

ମୁମ୍ବାଇ,୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜ ମଧ୍ୟରେ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି। ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ ବିଶେଷଜ୍ଞମରାନ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍‌ କରିଥିଲା। ଏହା ଜବାବରେ ଟିମ୍‌ ଇଣ୍ଡିଆ ୨୬୫ ରନ୍‌ କରିଥିଲା। ହେଲେ ଏଥିରେ ନିଜର ହୋମ୍‌ ଗ୍ରାଉଣ୍ଡରେ ଖେଳୁଥିବା ସରଫରାଜ ଖାନ୍‌ କିଛି ଖାସ କରିପାରି ନ ଥିଲେ। ସେ ୪ ବଲ୍‌ ଖେଳିଥିବା ବେଳେ ଖାତା ଖୋଲି ନ ପାରି ଆଉଟ୍‌ ହୋଇଯାଇଥିଲେ।

ଇନିଂସ ଶେଷ ହେବା ପରେ ସରଫରାଜ ଖାନଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଭାରତର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି। ସରଫରାଜ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌। ତାଙ୍କୁ ପ୍ରାୟତଃ ୫ମ ସ୍ଥାନରେ ଖେଳୁଥିବା ଦେଖାଯାଏ। ହେଲେ ମୁମ୍ବାଇ ଟେଷ୍ଟ ପ୍ରଥମ ଇନିଂସରେ ତାଙ୍କୁ ୮ମ ସ୍ଥାନରେ ପଠାଯାଇଥିଲା। ବାମ-ଦକ୍ଷିଣ କମ୍ବିନେଶନକୁ ବଜାୟ ରଖିବାକୁ ଏଭଳି କରାଗଲା। ହେଲେ ସଞ୍ଜୟ ରୋହିତ ଏବଂ ଗମ୍ଭୀରଙ୍କ ଏହି ନିଷ୍ପତ୍ତି ବିଲ୍‌କୁଲ ପସନ୍ଦ ଆସି ନ ଥିବା କହିଛନ୍ତି। ସେ ତୁରନ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଷ୍ପତ୍ତିର ସମାଲୋଚନା କରିଛନ୍ତି।

ସଞ୍ଜୟ କହିଛନ୍ତି, ଜଣେ ଖେଳାଳି ଫର୍ମରେ ଅଛନ୍ତି, ନିଜର ପ୍ରଥମ ୩ ଟେଷ୍ଟରେ ୩ ଅର୍ଦ୍ଧଶତକ ମାରିଛନ୍ତି। ବାଙ୍ଗାଲୋର ଟେଷ୍ଟରେ ୧୫୦ ରନ୍‌ କରିଥିଲେ। ସେ ସ୍ପିନକୁ ଭଲ ଖେଳନ୍ତି। ହେଲେ ବାମ-ଦକ୍ଷିଣ ବ୍ୟାଟ୍ସମ୍ୟାନ୍‌ କମ୍ବିନେଶନକୁ ବଜାୟ ରଖିବାକୁ ତାଙ୍କୁ ବ୍ୟାଟିଂର ନିମ୍ନକ୍ରମକୁ ପଠାଇ ଦିଆଗଲା। ଏଭଳି କରିବାର କୌଣସି ଅର୍ଥ ନାହିଁ। ଏହା ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି।

Share
Tags: Sports News