ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ଙ୍କୁ ବେଷ୍ଟ ପାର୍ଲାମେଣ୍ଟାରିଆନ୍‌ ଆଓ୍ବାର୍ଡ ଦିଆଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିରୁ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଇକ୍‌ରା ଚୌଧରୀ ଏବଂ ଟିଆର୍‌ ବାଲୁ (ଡିଏମ୍‌କେ)ଙ୍କୁ ଲୋକମତ ପାର୍ଲାମେଣ୍ଟାରି ଆଓ୍ବାର୍ଡ ୨୦୨୫ ପ୍ରଦାନ କରାଯାଇଛି। ୟୁପିର କୈରାନାରୁ ପ୍ରତିନିଧିତ୍ୱ କରୁଥିବା ଇକ୍‌ରାଙ୍କୁ ମହିଳା ବର୍ଗରେ ଏହି ପୁରସ୍କାର ଦିଆଯାଇଥିବାବେଳେ ବାଲୁଙ୍କୁ ଚଳିତବର୍ଷର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ଦିଆଯାଇଛି। ରାଜ୍ୟ ସଭା ବର୍ଗରେ ପ୍ରଥମ ଥର ଉଚ୍ଚ ସଦନକୁ ଯାଇଥିବା ସୁଧା ମୂର୍ତ୍ତିଙ୍କୁ ମହିଳା ସାଂସଦ ରୂପେ ସମ୍ମାନିତ କରାଯାଇଥିବାବେଳେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ସେହିପରି ଟିଏମ୍‌ସିର ଦୋଳ ସେନଙ୍କୁ ବେଷ୍ଟ ଓମ୍ୟାନ୍‌ ପାର୍ଲାମେଣ୍ଟାରିଆନ୍‌ ଅଫ୍‌ ଦି ଇୟର ଏବଂ ଆପ୍‌ ନେତା ସଞ୍ଜୟ ସିଂଙ୍କୁ ବେଷ୍ଟ ପାର୍ଲାମେଣ୍ଟାରିଆନ୍‌ ଅଫ୍‌ ଦି ଇୟର ଭାବେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ପୂର୍ବତନ ସିଜେଆଇ ବି.ଆର୍‌ . ଗବଇ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ .ଓ୍ବାଇ. କ୍ୟୁରେଶି, ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ଲୋକେଶ ମୁନି, ଲୋକମତ ମିଡିଆ ଗ୍ରୁପ୍‌ ଅଧ୍ୟକ୍ଷ ବିଜୟ ଦାଦ୍ରା ଏବଂ ଲୋକମତ ଏଡିଟର-ଇନ୍‌-ଚିଫ୍‌ ରାଜେନ୍ଦ୍ର ଦାଦ୍ରା ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily