ନୂଆଦିଲ୍ଲୀ,୧୧।୧୨: ତେଲେଙ୍ଗାନାର ସିଙ୍ଗାରେଡି ଜିଲ୍ଲାରୁ ଏକ ହୃହୟବିଦାରକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ଇଞ୍ଜିନିୟର ଛାତ୍ରକୁ ଘରକୁ ଡାକି ପ୍ରେମିକାର ବାପା ମା ପିଟିପିଟି ହତ୍ଯା କରିଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ପୋଲିସରେ ଅଭିଯୋଗ କରିବା ସହିତ କୋଠର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୃତ ଛାତ୍ରଙ୍କ ନାମ ଜ୍ୟୋତି ଶ୍ରବଣ ସାଇ ବୋଲି ଜଣାପଡିଛି ।
ମୃତ ଜ୍ୟୋତି ସିଙ୍ଗାରେଡି ଜିଲ୍ଲାର ମେସମଗୁଡାର ଏକ କଲେଜର ବିଟେକ ଛାତ୍ର ଥିଲେ । ସେ କୁତୁବୁଲାପୁରରେ ଭଡାରେ ରହି ପାଠ ପଢୁଥିଲେ । ତେବେ କଲେଜ ସମୟରେ ସେ ଇସୁକାବବିରେ ରହୁଥିବା ଏକ 19 ବର୍ଷୀୟ ଛାତ୍ରୀ ସହିତ ପ୍ରେମରେ ପଡିଥିଲେ । କିନ୍ତୁ ପ୍ରେମିକାର ପରିବାର ଲୋକେ ଏହାକୁ ଗ୍ରହଣ କରିପାରିନଥିଲେ । ଏହି ଘଟଣାକୁ ନେଇ ସେମାନେ ଶ୍ରବଣଙ୍କୁ ବାରମ୍ବାର ଝିଅ ଠାରୁ ଅଲଗା ରହିବା ପାଇଁ ମଧ୍ୟ ଧମକ ଦେଇଥିଲେ ।
ତେବେ ଘଟଣା ଦିନ ପ୍ରେମିକାର ପରିବାର ଲୋକେ ଜ୍ୟୋତିଙ୍କୁ ବିବାହ ବିଷୟରେ କଥା ହେବା ପାଇଁ ଘରକୁ ଡକାଇଥିଲେ । ତେବେ ସେ ଘରକୁ ଯିବା ମାତ୍ରେ ହିଁ ପ୍ରେମିକାର ମାଆ ଏବଂ ବାପା ତାଙ୍କୁ ଆକ୍ରମଣ କରିଥିଲେ । ପରିବାର ଲୋକେ ବ୍ଯାଟରେ ପିଟିପିଟି ଲହୁଲୁହାଣ କରିଦେଇଥିଲେ ।
ତେବେ ତାଙ୍କୁ କୁକଟପଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାପାଇବା ପରେ ଅମିନପୁର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି । କାହିଁକି ପ୍ରେମିକାର ମାଆ ଏଭଳି କାଣ୍ଡ ଭିଆଇଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।