ଧରାକୋଟ,୩।୧୦: ଲଘୁଚାପ ପ୍ରଭାରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀରେ ବନ୍ୟା ଜଳ ବଢୁଛି। ଗୁରୁବାର ବିଳମ୍ବିତ ରାତିରେ ଜଳସ୍ତର ବଢିବା ଫଳରେ ନଦୀକୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି।
ଏପରିକି ଋଷିକୁଲ୍ୟା ନଦୀରେ ଏକ ଘାଇ ସୃଷ୍ଟି ହୋଇ ବାଲି ମାଡିଯିବାରୁ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଚାଷୀ କ୍ଷତିପୂରଣ ଦାବି କରି ତହସିଲଦାର ଓ ଥାନା ଅଧିକାରୀଙ୍କୁ ଘେରି ରହିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏପରିକି ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ଗଞ୍ଜାମ ଜିଲା। ବର୍ଷା ସ୍ଥିତିକୁ ଅଧିକ ବିଗାଡିଛି ଉପର ମୁଣ୍ଡରରେ ହୋଇଥିବା ଲଗାଣ ବର୍ଷା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଗୁରୁବାର ରାତି ପ୍ରାୟ ୧ଟାରେ ହଠାତ୍ ଋଷିକୁଲ୍ୟା ନଦୀରେ ଜଳସ୍ତର ବଢିଥିଲା। ଏହାର ପ୍ରଭାବରେ ନୂଆଗଡ଼, ବ୍ରହ୍ମଣଦେଇ ଆଦି ଗ୍ରାମଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ସେହିପରି ସିଙ୍ଗିପୁର, ଧବଳେଶ୍ୱର ଓ କୁସପଡା ଗ୍ରାମରେ ପାଣି ପଶିଯାଇଛି।
କୁଷପଡ଼ା ନିକଟରେ ଋଷିକୁଲ୍ୟା ନଦୀର ହୀଡ଼ ଭାଙ୍ଗି ଯିବା ଫଳରେ ବନ୍ୟା ଜଳ ପଶି ଗ୍ରାମର ଚାଷୀଙ୍କ ପ୍ରାୟ ୩୦ ଏକର ଜମିରେ ବାଲି ମାଡ଼ିଯାଇ ଫସଲ ନଷ୍ଟ ହୋଇଛି। ଏହା ସହ ଧାନ ଓ ଅନ୍ୟାନ୍ୟ ପରିବା ଚାଷରେ ମଧ୍ୟ ନଦୀ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯୋଗ୍ୟ, ଗତ ବର୍ଷ ଭଞ୍ଜନଗର ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବରଡବିଲି, କହିରା ପଲ୍ଲୀ, କୁଷପଡ଼ା ସମେତ ଜାନି ବିଲ୍ଲି ଆନିକଟ ପର୍ଯ୍ୟନ୍ତ ନୂତନ ନଦୀହିଡ ନିର୍ମାଣ କରାଯାଇଥିଲା। ହେଲେ ଜାହାଡା ବାଲି ଲିଜ ନେଇଥିବା ଲିଜଧାରୀ ବେଆଇନ ଭାବେ କୁଶପଡା ଗ୍ରାମ ନିକଟରୁ ନଦୀ ବନ୍ଧକୁ କାଟି ବାଲି ଚାଲାଣ ହେଉଥିବାରୁ ଏହି ରାସ୍ତାଦେଇ ବନ୍ୟା ଜଳ ଧାନ ଏବଂ ବିଭିନ୍ନ ପରିବା କ୍ଷେତରେ ପ୍ରବେଶ କରି ବାଲି ମାଡ଼ି ଯାଇଥିବା କୁଶପଡା ଗ୍ରାମବାସୀ କହିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା।
ଘଟଣା ସମ୍ପର୍କରେ ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କୁ ପଚାରିବାରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ। ଏପରିକି ଜଳ ସେଚନ ବିଭାଗ ପକ୍ଷରୁ ଖୁବ ଶୀଘ୍ର ହିଡ଼ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଏହାକୁ ନେଇ ଗ୍ରାମରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା, ଘଟଣାସ୍ଥଳରେ ଧରାକୋଟ ଥାନାଅଧିକାରୀ ଚନ୍ଦ୍ରିକା ସ୍ବାଇଁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମଧ୍ୟାହ୍ନରେ ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜଳସେଚନ ବିଭାଗ ଅଧିକାରୀ ମରାମତି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା ବେଳେ ଗ୍ରାମବାସୀଙ୍କ ଏକା ଜିଦ୍ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।