ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହାତ ବାନ୍ଧି ବସିଛନ୍ତି ବୋଲି କଟାପାଲି ଏବଂ ବରଗାଁ ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ଅଞ୍ଚଳର ଯୁବକମାନେ ଗୁରୁବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ମାଟି ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, କଟାପାଲି, ବରଗାଁ ଅଞ୍ଚଳରେ ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଜମି ରହିଛି। ସେହି ଜମି ଉପରେ କିଛି ମାଟି ମାଫିଆଙ୍କ ଲୋଳୁପଦୃଷ୍ଟି ପଡ଼ିଥିବା ଅଭିଯୋଗ ହୋଇଛି। ଜେସିବି ଏବଂ ଅନ୍ୟ ମେଶିନ ଦ୍ୱାରା ସେହି ଜମିରୁ ମାଟି ଖୋଲି ହାଇୱା, ଟ୍ରାକ୍ଟର ଯୋଗେ ରାତାରାତି ତାହା ଚୋରାଚାଲାଣ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଏଭଳି ବେଆଇନ ମାଟି ଖନନ ଏବଂ ଚାଲାଣକୁ ବିରୋଧ କଲେ ସେମାନଙ୍କୁ ନାନା ଧମକଚମକ୍ ଦିଆଯାଉଛି ବୋଲି ଅଞ୍ଚଳର ଯୁବକମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ତେବେ ବରଗଡ଼ ସହରକୁ ସଂଯୋଗ କରୁଥିବା କଟାପାଲି-ବରଗାଁ ରାସ୍ତାରେ ଏଭଳି ମାଟି ଚୋରାଚାଲାଣ ହେଉଥିବାବେଳେ ଉକ୍ତ ରାସ୍ତାପାର୍ଶ୍ୱ ବ୍ରହ୍ମଚାରୀରେ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି।
ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ମାଟି ଚୋରାଚାଲାଣ ହେଉଥିବାବେଳେ ବିଭାଗୀୟ ଅଧିକାରୀ ସେଥିପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଗତ ୧୫ତାରିଖ ରାତି ପ୍ରାୟ ୧୦ଟା ସମୟରେ ହାଇୱା ଯୋଗେ ଏଭଳି ମାଟି ଚାଲାଣ ହେଉଥିଲା। ମାତ୍ର ବିଭାଗୀୟ ଖଣି ଅଧିକାରୀ ଏବଂ ପୋଲିସକୁ ଖବର ଦେବା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି।
ଏଭଳି ମାଟି ଚୋରାଚାଲାଣ ଯୋଗୁଁ ସରକାରଙ୍କ ରାଜସ୍ବହାନୀ ହେଉଥିବାବେଳେ ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଜମି ମ୍ଯଯ ପ୍ରଭାବିତ ହେଉଛି। ସେହିପରି ରାତିରେ ଅନେକ ହାଇୱା, ଟ୍ରାକ୍ଟର ଯୋଗେ ମାଟି ଚୋରାଚାଲାଣ ଯୋଗୁ ଅଞ୍ଚଳର ରାସ୍ତାଘାଟ, ବ୍ରିଜ କ୍ଷତିଗ୍ରସ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ବରଗାଁ ସରପଞ୍ଚ କେଶବ ସେଠ, କଟାପାଲି ସରପଞ୍ଚ ରମେଶ ସାହୁ, ସମିତିସଭ୍ୟ ଦିପକ କୁମାର ବିଶ୍ୱାଳ, ଟିକୁ ବେହେରା ପ୍ରମୁଖଙ୍କ ସ୍ବାକ୍ଷର ଦାବିପତ୍ରରେ ରହିଛି।