Categories: Home Leftଖେଳ

ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି

ତ୍ରିନିଦାଦ୍‌, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ ରୋଷ୍ଟନ ଚେଜ୍‌ (୬୬ ରନ)ଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୪୪ ରନ କରିଥିଲା। ଜବାବରେ ଗୁୟାନା ଓ୍ବାରିୟର୍ସ ୮ ଉଇକେଟ୍‌ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା। ଉଇକେଟ୍‌କିପର ନିକୋଲାସ ପୁରାନ (୬୮ ରନ)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଦଳ ବିଜୟଠାରୁ ୧୦ ରନ ଦୂରରେ ରହିଯାଇଥିଲା।
ମ୍ୟାଚ୍‌ ସେଣ୍ଟ ଲୁସିଆ ଅଧିନାୟକ ସାମିଙ୍କ ଲାଗି ଏକ ସ୍ମରଣୀୟ ମ୍ୟାଚ୍‌ ଥିଲା। ଅଧିନାୟକ ଭାବେ ସାମିଙ୍କ ଏହା ୨୦୦ତମ ଟି୨୦ ମ୍ୟାଚ୍‌। ଟି୨୦ କ୍ରିକେଟ୍‌ରେ ୨୦୦ ମ୍ୟାଚ୍‌ ନେତୃତ୍ୱ ନେବାରେ ସାମି ବିଶ୍ୱର ୨ୟ କ୍ରିକେଟର୍‌ ହୋଇଛନ୍ତି। ଏଥିପୂର୍ବରୁ ଏହି ତାଲିକାରେ ମହେନ୍ଦ୍ର ସିଂ ଧୋନୀ (୨୭୦ ମ୍ୟାଚ୍‌) ସର୍ବାଗ୍ରେ ରହିଛନ୍ତି। ସେହିଭଳି ବିଶ୍ୱର ୨ୟ ଅଧିନାୟକ ଭାବେ ୧୦୦ ଟି୨୦ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ ମଧ୍ୟ ସାମି ଲାଭ କରିଛନ୍ତି। ଅଧିନାୟକ ଭାବେ ସର୍ବାଧିକ ଟି୨୦ ମ୍ୟାଚ୍‌ ଜିତିବାର ରେକର୍ଡ ମଧ୍ୟ ଧୋନୀ (୧୬୦ ମ୍ୟାଚ୍‌)ଙ୍କ ନାମରେ ରହିଛି।