କୋଲକାତା,୫।୩: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଚଳାଚଳ ନେଇ କଟକଣା ଜାରି ରହିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ୪ରୁ ୫ ଦିନ ହେଲା ଭାରତରେ ଫସି ରହିଛି। ଏହାକୁ ନେଇ ଦଳର ମୁଖ୍ୟ କୋଚ୍ ଡାରେନ ସାମି ଗୁରୁବାର ସୋସିଆଲ ମିଡିଆ ଜରିଆରେ ଚିନ୍ତା ବ୍ୟକ୍ତ କରିଛନ୍ତି।
ଗତ ରବିବାର ସୁପର-୮ ମ୍ୟାଚ୍ରେ ଭାରତଠାରୁ ପରାଜିତ ହୋଇ ଚଳିତ ଟି୨୦ ବିଶ୍ୱକପ୍ରୁ ବିଦାୟ ନେଇଥିବା ଓ୍ବେଷ୍ଟଇଣ୍ଡିଜ୍ ଦଳ ବିମାନ ଚଳାଚଳରେ କଟକଣା ଯୋଗୁ ସ୍ବଦେଶ ଫେରିପାରୁ ନାହିଁ।
କେବଳ ଘରକୁ ଫେରିବାକୁ ଚାହେଁ। ଅତିକମ୍ରେ କିଛି ଅପଡେଟ୍ ଦିଅନ୍ତୁ କିମ୍ବା କିଛି ତ କୁହନ୍ତୁ। ଆଜି କି ଆସନ୍ତା କାଲି କିମ୍ବା ଆସନ୍ତା ସପ୍ତାହରେ ଆମେ ଘରକୁ ଯାଇପାରୁ। ୫ ଦିନ ହେଲାଣି’ ବୋଲି ସାମି ଏକ୍ସ’ରେ ପୋଷ୍ଟ କରିଛନ୍ତି। ପରିସ୍ଥିତିକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଅନେକ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି ଆଇପିଏଲ ପାଇଁ ଭାରତରେ ରହିବେ ଏବଂ ଆସନ୍ତା ସପ୍ତାହରେ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେବେ।
ଖେଳାଳିଙ୍କ ଯାତ୍ର ସମ୍ପୂର୍ଣ୍ଣ ରୂପେ ଆଇସିସି ଦ୍ୱାରା କରାଯାଏ। ଓ୍ବେଷ୍ଟଇଣ୍ଡିଜ୍ ଦଳର ଯାତ୍ରା ସମ୍ପର୍କରେ ଆମ ପାଖରେ କୌଣସି ତଥ୍ୟ ନାହିଁ ବୋଲି କ୍ରିକେଟ ଆସୋସିଏଶନ ଅଫ୍ ବେଙ୍ଗଲ (ସିଏବି)ର ଜଣେ ଅଧିକାରୀ କହିଛନ୍ତି।