ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ, ଏଥର କୋର୍ଟରେ ଲଢେଇ

ମୁମ୍ବାଇ,୨୫।୯: ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖେଡେ ନେଟ୍‌ଫ୍ଲିକ୍ସ ସିରିଜ୍‌ ‘ଦି ବା***ଡସ୍‌ ଅଫ୍‌ ବଲିଉଡ୍‌’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି। ଆର୍ଯ୍ୟନ ଖାନ ନିର୍ଦେଶିତ ଏହି ସିରିଜ୍‌ରେ ତାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ କରି ସେ ଶାହାରୁଖ ଖାନଙ୍କ କମ୍ପାନୀ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଓ ନେଟ୍‌ଫ୍ଲିକ୍ସ ଠାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି, ଯାହା ସେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲକୁ ଦାନ କରିବେ ବୋଲି କହିଛନ୍ତି।

ୱାଙ୍ଖେଡେ ଅଭିଯୋଗ କରିଛନ୍ତି ଯେ, ଏହି ସିରିଜ୍‌ ତାଙ୍କ ମାନସମ୍ମାନକୁ କଳଙ୍କିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନିର୍ମାଣ କରାଯାଇଛି। ସେପ୍ଟେମ୍ବର ୧୮ରୁ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ଏହି ସିରିଜ୍‌ରେ ତାଙ୍କୁ ଏକ ଚରିତ୍ର ମାଧ୍ୟମରେ ଅପମାନଜନକ ଭାବେ ଉପସ୍ଥାପନ କରାଯାଇଛି। ଏହା ଜାତୀୟ ପ୍ରତୀକର ଅପମାନ ସହ ଆଇନ ଉଲ୍ଲଙ୍ଘନ କରୁଥିବା ସେ ଦାବି କରିଛନ୍ତି।

୨୦୨୧ରେ ଆର୍ଯ୍ୟନ ଖାନଙ୍କୁ ମାଦକ ଦ୍ରବ୍ୟ ମାମଲାରେ ଗିରଫ କରିଥିବା ୱାଙ୍ଖେଡେ ଏହି ସିରିଜ୍‌କୁ ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଏହି ମାମଲା ବର୍ତମାନ ବମ୍ବେ ହାଇକୋର୍ଟ ଓ NDPS ସ୍ପେଶାଲ କୋର୍ଟରେ ବିଚାରାଧୀନ ରହିଛି।

Share