ଗୋଟିଏ ଫିଲ୍ମର ଆୟ ସହ ସମାନ ସଲମାନଙ୍କ ବିଗ୍‌ବସ୍‌ ୧୪ର ପାରିଶ୍ରମିକ!

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ଶୋ’ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏଥର ବିଗ୍‌ ବସ୍‌-୧୪କୁ ନୂଆ ଟ୍ବିଷ୍ଟ ଓ ନୂଆ ଟର୍ଣ୍ଣ ନେଇ ବଲିଉଡ୍‌ ଭାଇଜାନ ସଳମାନ ଖାଁ ହୋଷ୍ଟ କରିବାକୁ ଯାଉଥିବା ଜଣାପଡିଛି। ଶୋ’ର ପ୍ରମୋ ରିଲିଜ୍‌ ହୋଇସାରିଥିବା ବେଳେ ଏବେ ପର୍ଯ୍ୟନ୍ତ କିନ୍ତୁ ପ୍ରତିଯୋଗୀଙ୍କ ନାଁ ସ୍ପଷ୍ଟ ହୋଇନାହିଁ। ହେଲେ ଗଣମାଧ୍ୟମର ସୂଚନାରୁ ଜଣାପଡିଛି ଏଥର ବିଗ୍‌ବସ୍‌ ୧୪ ହୋଷ୍ଟ କରିବାକୁ ସଲମାନ ମୋଟା ଅଙ୍କର ଫିଜ୍‌ ଦାବି କରିଛନ୍ତି। କୁହାଯାଉଛି ତାଙ୍କ ଫିଲ୍ମ ବକ୍ସ ଅଫିସରେ ସେତିକି ଆୟ କରେ ଏଥର ସେ ବିଗ୍‌ବସ୍‌ ପାଇଁ ପାଖାପାଖି ସେତିକି ଡିମାଣ୍ଡ କରିଛନ୍ତି। ବିଗ୍‌ ବସ୍‌ ୧୪ ପାଇଁ ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ସେଟ୍‌ ପର୍ଯ୍ୟନ୍ତ ସବୁ କଥା ଜାଣିବାକୁ ଦର୍ଶକେ ଉତ୍ସୁକତା ଦେଖାଇ ଥାଆନ୍ତି। କୁହାଯାଏ ପ୍ରତିବର୍ଷ ସଲମାନ ଏହି ଶୋ’କୁ ହୋଷ୍ଟ କରିବା ପାଇଁ ନିଜ ପାରିଶ୍ରମିକ ବଢାଇ ଥାଆନ୍ତି। ତେବେ ବଳିଉଡ୍‌ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ ତଥା କେତେଜଣ ବିଗ୍‌ବସ୍‌ ପ୍ରଶଂସକଙ୍କ ଆକାଉଣ୍ଟରୁ ମିଳିଥିବା ସୂଚନାରୁ ଜଣାପଡିଛି ଏଥର ବିଗ୍‌ବସ୍‌ ୧୪ ପାଇଁ ସଲମାନ ମୋଟା ଅଙ୍କ ଦାବି କରିଛନ୍ତି। ତେବେ ଏହି ସିଜନ ପାଇଁ ସେ ପ୍ରାୟ ୨୫୦ କୋଟି ଟଙ୍କା ଡିମାଣ୍ଡ କରିବେ ବୋଲି ଅନୁମାନ କରାଯାଇଛି। ଏହି ପାରିଶ୍ରମିକ ସହ ସଲମାନ ଏବେ ଛୋଟ ପରଦାର ସବୁଠାରୁ ଦାମୀ ଉପସ୍ଥାପକ ତାଲିକାରେ ଆସିଯାଇଛନ୍ତି। ବିଗ୍‌ବସ୍‌ ୧୪ ସପ୍ତାହକୁ ଥରେ ଶୁଟିଂ କରାଯିବ। ଥରକେ ୨ଟି ଏପିସୋଡ ହେବ। ୧୨ ସପ୍ତାହ ଚାଲିବାକୁ ଥିବା ଶୁଟିଂ ପାଇଁ ପ୍ରତିଦିନ ସେ ୨୦-୫୦ କୋଟି ଟଙ୍କା ନେବେ। ଏଥର ବିଗ୍‌ବସ୍‌ ହାଉସ ମୁମ୍ବାଇରେ ହେବ ବୋଲି ସୂଚନା ମିଳିଛି।