ନୂଆଦିଲ୍ଲୀ,୩୦ା୧୧: ନିର୍ବାଚନ କମିଶନ ଶନିବାର ବୁଥ୍ସ୍ତରୀୟ ଅଫିସର (ବିଏଲ୍ଓ)ମାନଙ୍କ ପାରିଶ୍ରମିକକୁ ୬,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲ୍ଓ ସୁପରଭାଇଜରମାନଙ୍କ ପାରିଶ୍ରମିକ ୧୨,୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ପ୍ରତି ନିର୍ବାଚନ ସହ ଜଡ଼ିତ ପୂରା ପ୍ରକ୍ରିୟା କାଳ ପାଇଁ ଏହି ବର୍ଦ୍ଧିତ ପାରିଶ୍ରମିକ ମିଳିବ।
ନିର୍ବାଚନ ପଞ୍ଜୀକରଣ ଅଫିସର (ଇଆର୍ଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଫିସର (ଏଇଆର୍ଓ), ବିଏଲ୍ଓ ସୁପରଭାଇଜର ଏବଂ ବିଏଲ୍ଓମାନଙ୍କୁ ନେଇ ନିର୍ବାଚନ କଳ ଗଠିତ। ନିରପେକ୍ଷ ଏବଂ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ତେଣୁ ବିଏଲ୍ଓମାନଙ୍କ ପାରିଶ୍ରମିକ ଦୁଇଗୁଣ କରିବା ସହ ବିଏଲ୍ଓ ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।
ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଚାଲିଥିବାବେଳେ ଅତ୍ୟଧିକ କାର୍ଯ୍ୟଚାପରୁ ଇତିମଧ୍ୟରେ କେତେଜଣ ବିଏଲ୍ଓ ଆତ୍ମହତ୍ୟା କରିବା ସହ ଅନ୍ୟ କେତେଜଣଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ଅତ୍ୟଧିକ କାର୍ଯ୍ୟଚାପ ବିରୋଧରେ ପଶ୍ଚିମବଙ୍ଗର ବିଏଲ୍ଓମାନେ କୋଲକାତାସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଅଫିସ୍ରେ ପ୍ରବେଶ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏସ୍ଆଇଆର୍ କାର୍ଯ୍ୟରେ ନିୟୋଜିତ ବିଏଲ୍ଓମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରିବା ପାଇଁ ଭାଜପା ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁନ ଚୁଗ୍ଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ ଜାତୀୟ ସମନ୍ବୟ ଟିମ୍ ଗଠନ କରିଛି।