ନୂଆଦିଲ୍ଲୀ,୩୦।୯: ପାକିସ୍ତାନର ଅଲରାଉଣ୍ଡର ସାଇମ ଅୟୁବଙ୍କୁ ଏସିଆ କପ୍ ୨୦୨୫ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନର ମୂଲ୍ୟ ଦେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ୧୮ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଦଳର ଘୋଷଣା ହୋଇସାରିଛି ଏବଂ ଏଥିରେ ବାବର ରିଜୱାନଙ୍କୁ ସୁଯୋଗ ଦିଆଯାଇଛି। ଏହି ସିରିଜ ପାକିସ୍ତାନ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି।
ଏସିଆ କପ୍ ୨୦୨୫ରେ ଖେଳାଯାଇଥିବା ୭ ମ୍ୟାଚ ମଧ୍ୟରୁ ଅୟୁବ ୪ ଥର ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଭାରତ ବିପକ୍ଷ ସୁପର-୪ ମୁକାବିଲାରେ ଆସିଥିଲା, ଯେଉଁଠାରେ ସେ ୨୧ ରନ ସଂଗ୍ରହ କରିଥିଲେ, କିନ୍ତୁ ଦଳକୁ ପରାଜୟର ସାମନା କରିବାକୁ ପଡ଼ିଥିଲା। ତେବେ ବୋଲିଂରେ ଅୟୁବ କିଛି ପରିମାଣରେ ସନ୍ତୁଳନ ରକ୍ଷା କରିଥିଲେ। ସେ ସମଗ୍ର ଟୁର୍ନାମେଣ୍ଟରେ ୮ଟି ଉଇକେଟ ହାସଲ କରିଥିଲେ।
ସାଇମ ଅୟୁବ ପାକିସ୍ତାନର ଟେଷ୍ଟ ଦଳରେ ଅପେକ୍ଷାକୃତ ନୂଆ ଖେଳାଳି। ସେ ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଷେକ କରିଥିଲେ ଏବଂ ଏଯାଏ ୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକରେ ସେ ୩୬୪ ରନ ସଂଗ୍ରହ କରିଛନ୍ତି, ଯାହାର ହାରାହାରି ୨୬ ରହିଛି। ବୋଲିଂରେ ମଧ୍ୟ ସେ ଲାଲ ବଲ ଫର୍ମାଟରେ ୪ ୱିକେଟ ହାସଲ କରିଛନ୍ତି।
ଘରୋଇ ପରିସ୍ଥିତିର ଫାଇଦା ଉଠାଇବା ପାଇଁ ପାକିସ୍ତାନ ଏଥର ତିନିଜଣ ଅଣକ୍ୟାପ୍ଡ ଖେଳାଳିଆସିଫ ଆଫ୍ରିଦି, ଫୈସଲ ଅକ୍ରମ ଏବଂ ରୋହେଲ ନାଜିରଙ୍କୁ ଦଳରେ ସ୍ଥାନ ଦେଇଛି। ପ୍ରଥମ ଟେଷ୍ଟ ଲାହୋରରେ ଖେଳାଯିବ ଏବଂ ଦ୍ୱିତୀୟ ଟେଷ୍ଟ ରାୱଲପିଣ୍ଡିରେ ହେବ। ଏହାପରେ ଉଭୟ ଦଳ ତିନୋଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ ମଧ୍ୟ ଖେଳିବେ, ଯାହା ୨୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।