୧୭ ବର୍ଷ ପରେ ସୈଫ୍‌, ଅକ୍ଷୟ ଏକାଠି

ମୁମ୍ବାଇ: ବଲିଉଡ୍‌ର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍‌ ଅଲୀ ଖାନ୍‌ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ପୁଣିଥରେ ବଡ଼ ପରଦାରେ ଏକାଠି ନଜରକୁ ଆସିବେ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୬ରେ ରିଲିଜ୍‌ ହୋଇଥିବା ଅଭିନେତା ମୋହନଲାଲଙ୍କ ସୁପରହିଟ ମାଲୟାଲମ ଫିଲ୍ମ ‘ଓପ୍ପମ’ର ହିନ୍ଦୀ ରିମେକ୍‌ରେ ଉଭୟ ଅକ୍ଷୟ ଏବଂ ସୈଫ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅକ୍ଷୟ ଖଳନାୟକ ଭୂମିକାରେ ଏବଂ ସୈଫ୍‌ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଏହା ଏକ ସସ୍‌ପେନ୍ସ ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଏଥିରେ ସୈଫ୍‌ ଏବଂ ଅକ୍ଷୟଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ଶୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ। ୨୦୨୬ରେ ଏହି ଫିଲ୍ମକୁ ରିଲିଜ୍‌ କରାଯିବା ନେଇ ଯୋଜନା ରହିଛି। ପ୍ରକାଶ ଯେ, ୨୦୦୮ରେ ରିଲିଜ୍‌ ହୋଇଥିବା ‘ଟଶନ’ ଫିଲ୍ମରେ ଶେଷଥର ପାଇଁ ଉଭୟ ଅକ୍ଷୟ ଏବଂ ସୈଫ୍‌ ଏକାଠି ନଜରକୁ ଆସିଥିଲେ।