ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଦିଗପହଣ୍ଡି ବ୍ଲକ୍ରେ ୧୪ ହଜାର ୫୭୫ ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଇଥିଲା। ସମୁଦାୟ ୨୩ ଟି ପ୍ରାଥମିକ ସେବାସମବାୟ ସମିତିରେ ୯୬୮୭ ଚାଷୀ ମଣ୍ଡିକୁ ଧାନ ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। କେବଳ ଝୋଟ ଅଖାରେ ମଣ୍ଡିକୁ ଧାନ ଆଣିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି। ଗତବର୍ଷ ଭଳି ଚଳିତବର୍ଷ ଚାଷୀ ପ୍ରାୟ ୧ ମାସ ପୂର୍ବରୁ ଧାନ ଅମଳ କରି ମଣ୍ଡିକୁ ନେବା ପାଇଁ ପ୍ଲାଷ୍ଟିକ ଅଖାରେ ଧାନ ଭର୍ତ୍ତି କରି ଖଳାରେ ରଖିଛି। ଝୋଟ ଅଖା ସମ୍ପର୍କରେ ଚାଷୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନାହିଁ। ଏନେଇ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ହସ୍ତକ୍ଷେପ କରିବାକୁ ଚାଷୀ ରବୀନ୍ଦ୍ର ପ୍ରଧାନ, ଚନ୍ଦ୍ରଶେଖର ରଣା, ସୁରେନ୍ଦ୍ର ରଣା, ଶଙ୍କର ପଟ୍ଟନାୟକ, ବିଶ୍ୱନାଥ ଡାକୁଆ, ତାରିଣୀ ଡାକୁଆ, ଋତୁପର୍ଣ୍ଣା ପ୍ରଧାନ, ବିପ୍ଳବ ମିଶ୍ର, ଅମୂଲ୍ୟ ରଣା, ଏମ.ବାଇନାଥ, ଗୌରଚନ୍ଦ୍ର ବିଷୋୟୀ ପ୍ରମୁଖ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଇଛନ୍ତି। ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଗତ ୧୬ ତାରିଖରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଝୋଟ ଅଖାରେ ଚାଷୀଙ୍କୁ ଧାନ ଦେବାକୁ କୁହାଯାଇନଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେବା ସମବାୟ ସମିତି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଚଳିତବର୍ଷ ୨ ଲକ୍ଷ ୪୬ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରାଯିବାକୁ ଥିବାବେଳେ ରେଜିଷ୍ଟ୍ରିଭୁକ୍ତ ସମୁଦାୟ ମିଲର ୨ ଲକ୍ଷ ୫୯ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଆସିଥିବା ନେଇ ବ୍ଲକ୍ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ ସୂଚନା ଦେଇଛନ୍ତି। ଅନ୍ୟପଟେ ମଣ୍ଡି ପରିଚାଳନା ଓ ବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ ହୋଇଥିଲେ ମଧ୍ୟ ସୀମାନ୍ତ ଆନ୍ଧ୍ରପ୍ରଦେଶର ଧାନ ବ୍ୟବସାୟୀ ମାନେ ଦିଗପହଣ୍ଡି, ଚିକିଟ, ପାତ୍ରପୁର, ଆସିକା, ସାନଖେମୁଣ୍ଡି, ଶେରଗଡ଼ ବ୍ଲକ ଅଧିନ ବିଭିନ୍ନ ଗାଁ କୁ ଆସି ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି। ଧାନ ଦଲାଲ ମାନେ କ୍ୱିଣ୍ଟାଲ ପ୍ରତି ୧୫ ଶହ ରୁ ଆରମ୍ଭକରି ସ୍ଥଳ ବିଶେଷରେ ୧୬ ଶହ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି। ଧାନ ଚାଲାଣକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ସିସିି କ୍ୟାମେରା ଲଗାଯାଇଥିଲେ ମଧ୍ୟ କିଛି ଗଳାବାଟ ଦେଇ ଆନ୍ଧ୍ର ରୁ ଟ୍ରକ୍ ଓଡ଼ିଶା ମଧ୍ୟକୁ ଆସି ଅନାୟାସରେ ଧାନ ବୋହି ନେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।