ଲିଡ୍ସ,୧୯।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ ୨୦ରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ସଚିନ ତେନ୍ଦୁଲକର ଏକ ବଡ଼ ଗୁମର ଖୋଲିଛନ୍ତି। ତାଙ୍କୁ ଲିଡ୍ସ ଯାଉଥିବା ସମୟରେ ପୋଲିସ ଧରି ପଚରାଉଚରା କରିଥିଲା।
ଭାରତୀୟ କ୍ରିକେଟ ଦଳ ଲିଡ୍ସରେ ୭ଟି ଟେଷ୍ଟ ଖେଳିଛି, ଯେଉଁଥିରୁ ୪ଟି ହାରିଛି ଏବଂ ୨ଟି ଜିତିଛି। ଗୋଟିଏ ମ୍ୟାଚ୍ରୁ ଫଳାଫଳ ଆସିନି। ଲିଡ୍ସ ସହିତ ଜଡିତ ଏହି କାହାଣୀ ସଚିନ ନିଜେ ବଖାରିଛନ୍ତି, ଯାହା ବର୍ତ୍ତମାନର ନୁହେଁ ବରଂ ବହୁ ବର୍ଷ ପୂର୍ବର। ବର୍ତ୍ତମାନ ଭାରତୀୟ ଦଳରେ ସାମିଲ ଥିବା ଖେଳାଳିମାନଙ୍କ ମଧ୍ୟରୁ କେହି ଜନ୍ମ ହୋଇ ନ ଥିବେ, ଏହା ସେହି ସମୟର କାହାଣୀ।
ସଚିନ ଏକ ଭିଡିଓରେ ଏହି ମଜାଦାର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ୧୯୯୨ରେ ଯେତେବେଳେ ସେ ୟର୍କସାୟାର କ୍ଲବର ଅଂଶ ଥିଲେ, ସେ ଏକ ମ୍ୟାଚ ଖେଳିବା ପାଇଁ ନ୍ୟୁକାସଲ ଯାଇଥିଲେ। ମ୍ୟାଚ ପରେ, ସେ ରାତିରେ ନ୍ୟୁକାସଲରୁ ଲିଡ୍ସ ଫେରୁଥିଲେ, ତାଙ୍କ ସାଥୀ ଜତୀନ ପରାଞ୍ଜପେ ମଧ୍ୟ ତାଙ୍କ ସହିତ ଥିଲେ। ସଚିନ ସେହି ସମୟରେ ୟର୍କସାୟାର କ୍ଲବ ଦ୍ୱାରା ଦିଆଯାଇଥିବା ଏକ କାରରେ ଆସୁଥିଲେ।
ସେତେବେଳେ ଅନେକ ସ୍ଥାନରେ ରାସ୍ତା କାମ ଚାଲିଥିଲା। ରାତି ବହୁତ ହୋଇଯାଇଥିଲା, ତେଣୁ ସେ ଆଗକୁ ଯାଉଥିବା ପୋଲିସ ଗାଡ଼ିକୁ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା କୌଣସି ଅସୁବିଧା ନ ହୁଏ। କିନ୍ତୁ କିଛି ସମୟ ପରେ, ପୋଲିସ ତାଙ୍କୁ ହାତ ଦାରା ସଙ୍କେତ ଦେଇଥିଲେ, ଯାହାକୁ ସଚିନ ବୁଝି ନ ପାରି ହେଡଲାଇଟ ମାରିଥିଲେ।
ସଚିନ ଆହୁରି କହିଥିଲେ ଯେ, ଏହା ପରେ, ପୋଲିସ ତାଙ୍କୁ ଅଟକିବାକୁ କହିଥିଲା, ତେଣୁ ସେ କାରକୁ ସାଇଡରେ ରଖିଥିଲେ। ପରେ ପୋଲିସ ତାଙ୍କୁ କହିଥିଲା ଯେ, ଗାଡିର ଗତି ଘଣ୍ଟା ପ୍ରତି ୫୦ ମାଇଲ ଏବଂ ତୁମେ ଘଣ୍ଟା ପ୍ରତି ୬୦ ମାଇଲ ବେଗରେ ଗାଡି ଚଲାଉଛ। ସଚିନ ବୁଝିପାରିଲେ ଯେ ପୋଲିସ ଗାଡ଼ି ମଧ୍ୟ ଦ୍ରୁତ ଗତିରେ ଚାଲୁଛି, ଯାହା ଯୋଗୁ ସେ ମଧ୍ୟ ଏହି ଭୁଲ କରିଥିଲେ।
ସଚିନ ପୋଲିସ ଅଧିକାରୀଙ୍କୁ ଏହା ବୁଝାଇଲେ ଏବଂ କହିଲେ ଯେ ସେ ଏହି ଭୁଲ କାହିଁକି କରିଛନ୍ତି। ଯେତେବେଳେ ପୋଲିସ ସଚିନଙ୍କ କାରରେ ୟର୍କସାୟାର ଲୋଗୋ ଦେଖିଲା, ସେମାନେ ପଚାରିଲେ ଏବଂ ସଚିନ କହିଲେ ଯେ କ୍ଲବ ତାଙ୍କୁ ଏହି କାର ଦେଇଛି। ପୋଲିସ ତାଙ୍କୁ ପଚାରିଲା ଯେ ସେ ୟର୍କସାୟାର କ୍ରିକେଟ କ୍ଲବର ପ୍ରଥମ ବିଦେଶୀ ଖେଳାଳି କି? ସଚିନ ହଁ କହିଲେ, ପୋଲିସ ତାଙ୍କୁ ଚେତାବନୀ ଦେଇ ଛାଡିଦେଲା।