ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ତେନ୍ଦୁଲକରଙ୍କ ପ୍ରବନ୍ଧନ ଫାର୍ମ ଏ ସମ୍ବନ୍ଧରେ ଏକ ଆଧିକାରିକ ବିବୃତ୍ତି ଜାରି କରି ଏହି ଖବରଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି।
ସଚିନ ତେନ୍ଦୁଲକରଙ୍କ ପ୍ରବନ୍ଧନ କମ୍ପାନୀ ପକ୍ଷରୁ ଜାରି ବିବୃତିରେ ସ୍ପଷ୍ଟ କୁହାଯାଇଛି ଯେ ସଚିନ ତେନ୍ଦୁଲକରଙ୍କ ନାମରେ ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ବିଚାର କରାଯାଉଛି ବା ନାମାଙ୍କିତ କରାଯାଉଛି ବୋଲି କିଛି ଖବର ଏବଂ ଗୁଜବ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଆମେ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛୁ ଯେ ଏପରି କିଛି ହେଉନାହିଁ। ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଭିତ୍ତିହୀନ ଅଟକଳଗୁଡ଼ିକୁ ଧ୍ୟାନ ନ ଦିଅନ୍ତୁ।
ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ଜୁଲାଇ ମାସରେ ତାଙ୍କୁ ୭୦ ବର୍ଷ ହେବା ପରେ ସମାପ୍ତ ହୋଇଛି। ବୋର୍ଡର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ବୟସ ସୀମା ୭୦ ବର୍ଷ ର୍ନିଦ୍ଧାରିତ ହୋଇଛି। ବିନ୍ନୀଙ୍କୁ ଅକ୍ଟୋବର ୨୦୨୨ରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏପରି ପରିସ୍ଥିତିରେ ନୂଆ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ସମୟରେ ତେନ୍ଦୁଲକରଙ୍କ ନାମ ଚର୍ଚ୍ଚାରେ ଆସିଥିଲା।
୨୮ ସେପ୍ଟେମ୍ବରରେ ହେବ ବାର୍ଷିକ ସାଧାରଣ ସଭା:
ବିସିସିଆଇର ବାର୍ଷିକ ସାଧାରଣ ସଭା(ଏଜିଏମ୍‌) ୨୮ ସେପ୍ଟେମ୍ବରରେ ଆୟୋଜିତ ହେବ। ଏହି ସଭା ସମୟରେ ନୂଆ ଅଧ୍ୟକ୍ଷଙ୍କ ନିର୍ବାଚନ କରାଯିବ। ଏହା ବ୍ୟତୀତ, ବିସିସିଆଇ ଲୋକପାଳ ଏବଂ ଆଚରଣ ଅଧିକାରୀଙ୍କ ନିଯୁକ୍ତି ମଧ୍ୟ ଏହି ସଭାରେ ହେବ। ସେହିପରି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଭାରତର ପ୍ରତିନିଧି ନିଯୁକ୍ତିର ନିଷ୍ପତ୍ତି ମଧ୍ୟ ନିଆଯିବ।

Share
Tags: BCCI