ଲଣ୍ଡନ/ନୂଆଦିଲ୍ଲୀ,୬।୩ : ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ବ୍ରିଟେନ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଭାରତ ଦୃଢ଼ ନିନ୍ଦା କରିଛି। ବୁଧବାର ଲଣ୍ଡନର ଚାଥାମ ହାଉସ୍ରେ ଜୟଶଙ୍କର ଆଲୋଚନାରେ ଯୋଗଦେଇଥିବାବେଳେ ବାହାରେ ଗୋଟିଏ ଗୋଷ୍ଠୀ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ କରିବା ସହ ଜୟଶଙ୍କରଙ୍କ ସୁରକ୍ଷା ବଳୟ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲେ। ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରପନ୍ଥୀ ସଂଗଠନର କାର୍ଯ୍ୟକୁ ନୂଆଦିଲ୍ଲୀ ନିନ୍ଦା କରିଛି। ଉଗ୍ରପନ୍ଥୀମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ସ୍ବାଧୀନତାର ଦୁରୁପଯୋଗକୁ ଆମେ ନିନ୍ଦା କରୁଛୁ। ଏଭଳି ମାମଲାରେ ଆୟୋଜକ ସରକାର ସେମାନଙ୍କ କୂଟନୈତିକ ଦାୟିତ୍ୱ ସମ୍ପୂର୍ଣ୍ଣ ନିର୍ବାହ କରିବା ଆମେ ଆଶା କରୁଛୁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ବିକ୍ଷୋଭ ସତ୍ତ୍ୱେ ଜୟଶଙ୍କର ଆଲୋଚନା ଜାରି ରଖିବା ସହ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟର୍ମର, ବହିର୍ବ୍ୟାପାର ମନ୍ତ୍ରୀ ଡାଭିଡ୍ ଲାମ୍ମି ଓ ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିଲେ। ଲଣ୍ଡନରେ ଖଲିସ୍ତାନ ସପକ୍ଷବାଦୀମାନେ ଜୟଶଙ୍କରଙ୍କ କନ୍ଭୟ ନିକଟକୁ ମାଡ଼ିଆସିବା ଘଟଣାକୁ ବ୍ରିଟେନ୍ ଗୁରୁବାର ଦୃଢ଼ ନିନ୍ଦା କରିଛି। ସରକାରୀ କାର୍ଯ୍ୟକ୍ରମକୁ ଧମକ ଦେବା ଓ ବାଧା ସୃଷ୍ଟି କରିବା ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି ବ୍ରିଟେନ୍ କହିଛି।