ଋଷିଆର ବିଶ୍ୱ ଯୁଦ୍ଧ ୩ ଚେତାବନୀ, ସାରା ବିଶ୍ୱରେ ଚହଳ

ମସ୍କୋ/ୱାଶିଂଟନ,୨୮।୫: ପୂର୍ବତନ ଋଷିଆ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରାଯିବା ପରେ ମେଦଭେଦେଭ କହିଛନ୍ତି ଯେ, ଏକମାତ୍ର “ପ୍ରକୃତ ଭୟଙ୍କର ଜିନିଷ” ହେଉଛି ତୃତୀୟ ବିଶ୍ୱ ଯୁଦ୍ଧ। ଟ୍ରମ୍ପ ଏହାକୁ ବୁଝିବେ ବୋଲି ସେ ଆଶା କରନ୍ତି ବୋଲି ମେଦଭେଦେଭ ଏକ୍ସରେ ପୋଷ୍ଟ କରିଛନ୍ତି।

ଏହି ଚେତାବନୀ ଟ୍ରମ୍ପଙ୍କ ଏକ ଟ୍ରୁଥ ସୋସିଆଲ ପୋଷ୍ଟକୁ ନେଇ ଆସିଛି, ଯେଉଁଥିରେ ସେ ପୁଟିନଙ୍କୁ “ନିଆଁ ସହ ଖେଳୁଛନ୍ତି” ବୋଲି ଅଭିଯୋଗ କରିଥିଲେ। ଟ୍ରମ୍ପ କହିଥିଲେ ଯେ, ଯଦି ତାଙ୍କ ପାଇଁ ନ ହୋଇଥାନ୍ତା, ତେବେ ରୁଷିଆ ପାଇଁ “ଅନେକ ଖରାପ ଜିନିଷ” ଘଟିଥାନ୍ତା। ଏହା ପୂର୍ବରୁ ରବିବାର ଦିନ ଟ୍ରମ୍ପ ପୁଟିନଙ୍କୁ “ପାଗଳ” ବୋଲି ମଧ୍ୟ କହିଥିଲେ, ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ବ୍ୟାପକ ଆକ୍ରମଣ ଜାରି ରଖିଥିଲା।

ମେଦଭେଦେଭଙ୍କ ଏହି ବୟାନ ରୁଷିଆ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଟ୍ରମ୍ପ ୟୁକ୍ରେନ ଯୁଦ୍ଧରେ ଶାନ୍ତି ଆଲୋଚନା ପାଇଁ ଚେଷ୍ଟା କରୁଥିବା ଦାବି କରୁଛନ୍ତି, କିନ୍ତୁ ପୁଟିନଙ୍କ ଅସହଯୋଗ ମନୋଭାବ ତାଙ୍କୁ ବିରକ୍ତ କରିଛି। ସୋମବାର ଟ୍ରମ୍ପ ପୁଟିନଙ୍କ ସହ ଏକ ଫୋନ କଲରେ ଆଲୋଚନା କରିଥିଲେ, ଯେଉଁଥିରେ ସେ ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରୁଷିଆର ଅବ୍ୟାହତ ଆକ୍ରମଣ ଏବଂ ଶାନ୍ତି ପ୍ରସ୍ତାବକୁ ଅସ୍ବୀକାର କରିବା ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଛି।

କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସକୋଭ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଉତ୍ତେଜନାକୁ କମ କରିବାକୁ ଚେଷ୍ଟା କରିଥିଲେ। ସେ ଟ୍ରମ୍ପଙ୍କୁ “ବ୍ୟକ୍ତିଗତ ଭାବେ” ଶାନ୍ତି ପାଇଁ ଚେଷ୍ଟା କରିଥିବାରୁ ଧନ୍ୟବାଦ ଦେଇଥିଲେ, କିନ୍ତୁ କହିଥିଲେ ଯେ, “ଜାତୀୟ ସୱାର୍ଥକୁ ବଳିଦାନ କରାଯାଇ ପାରିବ ନାହିଁ।”

ଏହି ଘଟଣା ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ଏବଂ ରୁଷିଆ ମଧ୍ୟରେ ଚାଲିଥିବା ରାଜନୈତିକ ଏବଂ କୂଟନୀତିକ ଉତ୍ତେଜନାକୁ ଆହୁରି ଜଟିଳ କରିଛି। ଆମେରିକା ଏବଂ ଇଉରୋପୀୟ ସହଯୋଗୀମାନେ ୩୦ ଦିନିଆ ଯୁଦ୍ଧବିରାମ ପାଇଁ ଚାପ ଦେଉଛନ୍ତି, କିନ୍ତୁ ରୁଷିଆର ଅସହଯୋଗ ଏହାକୁ କଷ୍ଟକର କରିତୁଳୁଛି।

Share