ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା ସଂସ୍ଥାଗୁଡ଼ିକର ଦାବି ଅନୁଯାୟୀ, ରୁଷିଆ ଚୁପଚାପ ଭାବେ ଇରାନକୁ ଡ୍ରୋନ, ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ପଠାଉଛି। ଇସ୍ରାଏଲ ଏବଂ ଆମେରିକାର ଚାପର ସାମ୍ନା କରୁଥିବା ଇରାନକୁ ସହଯୋଗ କରିବା ପାଇଁ ରୁଷିଆ ଏହି ପଦକ୍ଷେପ ନେଉଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୨୮ରେ ତେହେରାନ ଉପରେ ହୋଇଥିବା ଆକ୍ରମଣ ପରେ ରୁଷିଆ ଓ ଇରାନ ମଧ୍ୟରେ ସାମରିକ ଆଲୋଚନା ତେଜିଛି। ପ୍ରଥମ ଥର ପାଇଁ ରୁଷିଆ ସିଧାସଳଖ ଭାବେ ଇରାନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଅନୁମାନ କରାଯାଉଛି।
ଇରାନ ଏହି ସଂଘର୍ଷରେ ପ୍ରାୟ ୩,୦୦୦ରୁ ଅଧିକ ଡ୍ରୋନ ନିୟୋଜିତ କରିସାରିଛି। ରୁଷିଆ ଏବେ ଇରାନକୁ ଅଧିକ ଡ୍ରୋନ ଟ୍ରାନ୍ସଫର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି, ଯାହା ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରେ। ଇରାନ ରୁଷିଆଠାରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଚେଷ୍ଟା କରୁଛି। ଉଭୟ ଦେଶ ମଧ୍ୟରେ ୫୦୦ Verba ଲଞ୍ଚର୍‌ ଏବଂ ୨,୫୦୦ ମିସାଇଲ ପାଇଁ ଚୁକ୍ତି ହୋଇଛି। ତେବେ ରୁଷିଆ ବର୍ତ୍ତମାନ ପାଇଁ S-୪୦୦ ସିଷ୍ଟମ ଦେବାକୁ ମନା କରିଦେଇଛି।
କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ପେସକୋଭ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ “ମିଥ୍ୟା ଖବର” ଏବଂ ରୁଷିଆ କେବଳ ମାନବିକତା ଆଧାରରେ ଇରାନକୁ ସହାୟତା କରୁଛି। ରୁଷିଆ ନିକଟରେ ଅଜରବୈଜାନ ଦେଇ ପ୍ରାୟ ୨୦ ମିଲିୟନ ଡଲାରର ମେଡିକାଲ ସାମଗ୍ରୀ ଇରାନକୁ ପଠାଇଥିବା ନିଶ୍ଚିତ କରିଛି।
ଏହି ଯୁଦ୍ଧ ଯୋଗୁ ହୋର୍ମୁଜ ପ୍ରଣାଳୀ (Strait of Hormuz) ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ବିଶ୍ୱ ବଜାରରେ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଏହାର ସିଧାସଳଖ ଫାଇଦା ରୁଷିଆକୁ ମିଳୁଛି, କାରଣ ରୁଷିଆର ଅଶୋଧିତ ତୈଳର ଚାହିଦା ବଢ଼ିବାରେ ଲାଗିଛି।
ଯଦି ରୁଷିଆର ଏହି ସାମରିକ ସହାୟତା ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ପଶ୍ଚିମ ଏସିଆରେ ତଥା ସମଗ୍ର ବିଶ୍ୱରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ରହିଛି।

Share