ୟୁଏଇ ଆଲୋଚନା ଟେବୁଲରେ ରୁଷିଆ, ୟୁକ୍ରେନ୍‌, ଆମେରିକା ଚାପରେ…

କିଭ୍‌/ମସ୍କୋ,୨୪ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଥିବାବେଳେ ଏହାର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ରୁଷୀୟ ଓ ୟୁକ୍ରେନୀୟ କୂଟନୀତିଜ୍ଞମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭୂଖଣ୍ଡ ଅକ୍ତିଆର ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି। ଶାନ୍ତି ଚୁକ୍ତି ପାଇଁ ଆମେରିକା ୟୁକ୍ରେନ୍‌ ଉପରେ ଚାପ ପକାଉଥିବାବେଳେ ରୁଷିଆ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ମସ୍କୋ ଦଖଲରେ ଥିବା ଡୋନ୍‌ବାସର ଶିଳ୍ପାଞ୍ଚଳକୁ କିଭ୍‌ ଛାଡ଼ିଦେଉ ବୋଲି ଦାବି କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଭୂଖଣ୍ଡ ବିବାଦର ସମାଧାନ ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଗତବର୍ଷ ଅଗଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାୟୀ ମସ୍କୋ ଡୋନ୍‌ବାସକୁ ନିଜ ଦଖଲରେ ରଖିବାକୁ ଚାହୁଁଛି। ଶନିବାର ମଧ୍ୟ ଏହା ଉପରେ ଆଲୋଚନା ଜାରି ରହିବ।

Dharitri – The Largest & Most Trusted Odia Daily