କୁର୍କ୍ସର ସର୍ବବୃହତ୍‌ ସହରକୁ ପୁଣି ଦଖଲକଲା ରୁଷିଆ

ମସ୍କୋ,୧୪।୩
ୟୁକ୍ରେନ୍‌ ଯୁଦ୍ଧର ଅବସାନ ନିମନ୍ତେ ଆଲୋଚନା ପାଇଁ ଆମେରିକାର ପ୍ରତିନିଧିମାନେ ମସ୍କୋ ଗସ୍ତରେ ଯାଉଥିବାବେଳେ ରୁଷିଆ ଗୁରୁବାର କୁର୍କ୍ସର ସର୍ବବୃହତ୍‌ ସହରକୁ ପୁନର୍ବାର ନିଜ ଦଖଲକୁ ନେଇଛି। ରୁଷିଆ ସୈନ୍ୟମାନେ କୁର୍କ୍ସ ସୀମାବର୍ତ୍ତୀ ସୁଦ୍‌ଝା ସହରରୁ ୟୁକ୍ରେନ୍‌ ସୈନ୍ୟଙ୍କୁ ତଡ଼ିଦେବା ପରେ ଏହାକୁ ଅକ୍ତିଆରକୁ ନେଇଥିବା ଦାବି କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କୁର୍କ୍ସ ଯାଇ ସେନା କମାଣ୍ଡରମାନଙ୍କୁ ଭେଟିବା ପରେ ସୁଦ୍‌ଝା ସହରକୁ ସେନା ଦଖଲ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଏହା ଉପରେ ୟୁକ୍ରେନ୍‌ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ୩ ବର୍ଷ ଧରି ଯୁଦ୍ଧ ଲାଗି ରହିଥିବାବେଳେ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ଆମେରିକା ପ୍ରସ୍ତାବ ଦେଇଛି। ସାଉଦି ଆରବରେ ଆମେରିକାର ବରିଷ୍ଠ ଅଧିକାରୀ ଏବଂ ୟୁକ୍ରେନ୍‌ ଅଫିସରମମାନଙ୍କ ମଧ୍ୟରେ ଆଲୋଚନାରେ ଅଗ୍ରଗତି ପରେ କିଭ୍‌କୁ ସାମରିକ ସହାୟତା ବନ୍ଦ ଲାଗି ଗତ ୩ ତାରିଖରେ ଆମେରିକା ନେଇଥିବା ନିଷ୍ପତ୍ତିକୁ ମଙ୍ଗଳବାର ପ୍ରତ୍ୟାହାର କରିନେଇଛି। ଶାନ୍ତି ପ୍ରକ୍ରିୟା ଏବେ ରୁଷିଆ ଉପରେ ନିର୍ଭର କରୁଛି ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ।