ୟୁକ୍ରେନ୍‌ର ଆତ୍ମସମର୍ପଣରେ ରୁଷିଆ ଅଭିଯାନ ଶେଷ ହେବ: କ୍ରେମ୍‌ଲିନ୍‌

ମସ୍କୋ, ୨୯ା୬: ୟୁକ୍ରେନ୍‌ ଆତ୍ମସମର୍ପଣ କଲେ ହିଁ ସେଠାରେ ରୁଷିଅ ଚଳାଇଥିବା ଅଭିଯାନ ଶେଷ ହେବ ବୋଲି ମଙ୍ଗଳବାର କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ କହିଛନ୍ତି। ତେଣୁ କିଭ୍‌ ଏହାର ସୈନ୍ୟମାନଙ୍କୁ ଅସ୍ତ୍ର ଛାଡ଼ିବାକୁ କହିବା ସହ ମସ୍କୋର ଦାବି ମାନୁ ବୋଲି ପେସ୍‌କୋଭ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସୋମବାର ରୁଷିଆ ପକ୍ଷରୁ ୟୁକ୍ରେନ୍‌ର କ୍ରେମେନଚୁକ୍‌ରେ ଥିବା ଏକ ମଲ୍‌ରେ ରକେଟ୍‌ ମାଡ଼ କରାଯିବା ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୬୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରୁଷିଆ ଯୋଜନାବଦ୍ଧ ଭାବେ ଏଭଳି ଆତଙ୍କବାଦୀ ଆକ୍ରମଣ କରୁଥିବା ଜେଲେନ୍‌ସ୍କି କହିଛନ୍ତି। ଜି-୭ ରାଷ୍ଟ୍ରଗୁଡ଼ିକ ମଧ୍ୟ ୟୁକ୍ରେନ୍‌ ମଲ୍‌ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ରୁଷିଆ କେବେ ଏହି ଯୁଦ୍ଧ ଜିତିବ ନାହିଁ କିମ୍ବା ଜିତିବା ଉଚିତ ନୁହେଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ କହିଛନ୍ତି। ଏଥିସହ ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ଅଧିକ ସହାୟତା ଯୋଗାଇବା ପାଇଁ ମାକ୍‌ରଁ ନିବେଦନ କରିଛନ୍ତି।