ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ପାଇଁ ମସ୍କୋ ଆସିବାକୁ ରୁଷିଆ ପୁନର୍ବାର ନିମନ୍ତ୍ରଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଏହି ନିମନ୍ତ୍ରଣ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ଗତ ସପ୍ତାହରେ ଆବୁଧାବିଠାରେ ଆମେରିକା ମଧ୍ୟସ୍ଥତାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ପୁଟିନ ଓ ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ବୃଦ୍ଧି ପାଇଛି।
ରୁଷିଆ କହିଛି ଯଦି ଜେଲେନସ୍କି ମସ୍କୋ ଆସନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ। ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ପକ୍ଷରୁ ଏହି ନିମନ୍ତ୍ରଣର କୌଣସି ଉତ୍ତର ମିଳିନାହିଁ।
ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ପାଉଥିଲେ ମଧ୍ୟ ସୀମା ବିବାଦ ଏବଂ କବଜା କରାଯାଇଥିବା ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଗଭୀର ମତଭେଦ ରହିଛି। ବିଶେଷ କରି ଜାପୋରିଜିଆ ପରମାଣୁ କେନ୍ଦ୍ର ଏବଂ ଦୋନେସ୍କ ଅଞ୍ଚଳକୁ ନେଇ ବିବାଦ ଜାରି ରହିଛି। ଆସନ୍ତା ରବିବାର (ଫେବୃଆରୀ ୧) ଆବୁଧାବିଠାରେ ଦ୍ୱିତୀୟ ପର୍ଯ୍ୟାୟ ତ୍ରିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ରୁଷିଆ ଏଭଳି ଏକ ନିମନ୍ତ୍ରଣ କରିଥିଲା, ଯାହାକୁ ଜେଲେନସ୍କି ପ୍ରତ୍ୟାଖ୍ୟାନ କରିଥିଲେ। ଯେଉଁ ଦେଶ ପ୍ରତିଦିନ ୟୁକ୍ରେନ ଉପରେ ମିସାଇଲ ମାଡ଼ କରୁଛି, ସେଠାକୁ ଯିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଏଥିସହ ସେ ପୁଟିନଙ୍କୁ କିଭ୍ ଆସିବାକୁ ପ୍ରସ୍ତାବ ଦେଇଥିଲେ।