ବଢୁଛି ଋଷିକୂଲ୍ୟା ଜଳପତ୍ତନ, ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର, ୩।୧୦(ସବିତା ମିଶ୍ର): ବାତ୍ୟାଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଆସି ଅନ୍ତିରିଗାଁ ହନୁମାନପଲ୍ଲୀ ଡ୍ୟାମ ଓ ପାଣ୍ଡିଆଛକ ଋଷିକୂଲ୍ୟା ବ୍ରିଜଠାରେ ପାଣିର ମାପକୁ ଦେଖି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

ବ୍ରିଜଠାରେ ଜଳସ୍ଥରର ବିପଦ ସୂଚନା ୧୬.୮୩୫ ଓ ସତର୍କ ସୂଚନା ୧୫.୮୩୫ ରହିଥିବାବେଳେ ବର୍ତ୍ତମାନ ୧୫.୩୮୦ ମିଟରରେ ପାଣି ପ୍ରବାହିତ ହେବାରେ ଲାଗିଛି। ମାତ୍ର ଉପରମୂଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ଥର ସାମାନ୍ୟ ବଢିବା ନେଇ ଆଶଙ୍କା କରାଯାଉଛି। ଏହାକୁ ନେଇ ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ ବୋଲି ଜିଲାପାଳ କହିବା ସହ ପବନର ବେଗ ଟିକେ ରହିଥିବାବେଳେ ବର୍ତ୍ତମାନ ସେଭଳି ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ। ବର୍ଷାର ପ୍ରଭାବ କମିବାରେ ଲାଗିଥିବାବେଳେ ଘୋଡାହାଡ ଓ ପଦ୍ମା ଡ୍ୟାମର ପାଣି ଛାଡିବାର ବନ୍ଦ କରାଯାଇଛି। ଯାହାଦ୍ବାରା ଜଳସ୍ଥର ଆହୁରି ହ୍ରାସ ପାଇଯିବ।

ବର୍ତ୍ତମାନର ପରିସ୍ଥିରେ ବନ୍ୟା ହେବାର ସମ୍ଭାବନା ନାହିିଁ , ମାତ୍ର ପାଣିରଗତି ପ୍ରଖର ରହିଥିବାରୁ ନଦୀକୁ ନ ଯିବାଲାଗି ଜିଲାପାଳ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଏହାସହ ବର୍ଷାରେ ଘଟିଥିବା ଫସଲ ନଷ୍ଟର କ୍ଷୟକ୍ଷତିର ଆକଳନ କରିବାକୁ କୃଷି ବିଭାଗ ଓ ହର୍ଟିକଲଚର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତିକୁ ଦେଖି ସରକାରୀ ନିୟମ ପ୍ରକାରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତ କର୍ମଚାରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ପରିଦର୍ଶନ ସମୟରେ ତହସିଲଦାର ବିନୋଦ କୁମାର ବେହେରା, ଜଳସେଚ୍ଚନ ବିଭାଗିୟ ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ,ନିର୍ବହୀ ଯନ୍ତ୍ରୀ ଅଜିତକୁମାର ପ୍ରଧାନ ଓ ପୁରୁଷୋତ୍ତମପୁର ସେକସନ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଦାଶଙ୍କ ସମେତ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।