Categories: ବାଣିଜ୍ୟ

ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଆରମ୍ଭ: ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍‌ ଲାଗୁ କରିବା ପରେ ବୈଶ୍ୱିକ ବାଣିଜ୍ୟ ଯୁଦ୍ଧ ବ୍ୟାପକ ରୂପ ନେବା ଆଶଙ୍କା ପ୍ରକଶ ପାଇଛି। ଏହାର ପ୍ରଭାବରେ ଡଲାର ଇଣ୍ଡେକ୍ସ ୧.୨୪ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ସୋମବାର ଭାରତୀୟ ମୁଦ୍ରା ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟି ୮୭.୨୯ରେ ପହଞ୍ଚତ୍ଛି, ଅର୍ଥାତ୍‌ ୧ ଡଲାରର ବିନିମୟ ମୂଲ୍ୟ ୮୭ ଟଙ୍କା ୨୯ ପଇସା ହୋଇଛି।

ଆମେରିକୀୟ ଡଲାର ଇଣ୍ଡେକ୍ସ ୬ଟି ବିଦେଶୀ ମୁଦ୍ରାର ବାସ୍କେଟ୍‌ ସହ ତୁଳନା କରାଯାଇ ଆକଳନ କରାଯାଇଥାଏ। ତଦନୁଯାୟୀ ଡଲାର ସୂଚକାଙ୍କ ୧.୨୪ ପ୍ରତିଶତ ବୃଦ୍ଧି ପାଇ ଟଙ୍କା ତୁଳନାରେ ୧୦୯.୮୪ ପ୍ରତିଶତରେ ଟ୍ରେଡ୍‌ କରିବାକୁ ଯାଉଛି। ଶୁକ୍ରବାର ଡଲାରର ବିନିମୟ ମୂଲ୍ୟ ୮୬.୬୨ ଟଙ୍କା ରହିଥିଲା।

ଟ୍ରମ୍ପ୍‌ ଶନିବାର ସ୍ବାକ୍ଷର କରିଥିବା ଅର୍ଡର ଅନୁସାରେ କାନାଡା ଓ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ମଙ୍ଗଳବାରଠାରୁ ୨୫% ଏବଂ ଚାଇନା ସାମଗ୍ରୀ ଉପରେ ୧୦% ଆମଦାନୀ ଶୁଳ୍କ ଲାଗିବ। ଆମେରିକୀୟଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଚାଇନା, ମେକ୍ସିକୋ ଓ କାନାଡା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଜରୁରୀ ହୋଇପଡ଼ିଥିଲା ବୋଲି ଟ୍ରମ୍ପ୍‌ କହିଥିଲେ।

ତେବେ ଟ୍ରମ୍ପ୍‌ଙ୍କ ଏଭଳି ପଦକ୍ଷେପ ବୈଶ୍ୱିକ ଅର୍ଥନୀତିକୁ ଅନିଶ୍ଚିତତା ଆଡ଼କୁ ଠେଲିଦେଇଥିବା ସମାଲୋଚକମାନେ କହିଛନ୍ତି। ନୂଆ ଟାରିଫ୍‌ ଜାରି ରହିଲେ ମୁଦ୍ରାସ୍ଫୀତି ଅହେତୁକ ବୃଦ୍ଧି ଘଟିବା ସହ ଆମେରିକା ସହିତ ଏହି ରାଷ୍ଟ୍ରଗୁଡ଼ିକର ବାଣିଜ୍ୟ ଯୁଦ୍ଧ ଚାଲିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share