Categories: ଖେଳ

ରଗ୍‌ବୀ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ମୁମ୍ବାଇ,୧୫ା୬: ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଉଦ୍‌ଘାଟିତ ହୋଇଯାଇଛି। ଜଣାଶୁଣା ବଲିଉଡ୍‌ ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ ପ୍ରଥମେ ଟୁର୍ନାମେଣ୍ଟର ଆନ୍ଥେମ ‘ରଗ୍‌ ରଗ୍‌ ମେ ରଗ୍‌ବୀ’ ଗାଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଟ୍ରଫି ଉନ୍ମୋଚନ କରିଥିଲେ। ଏହି ଅବସରରେ ସମସ୍ତ ୬ ଫ୍ରାଞ୍ଚାଇଜର ଖେଳାଳି ଓ କୋଚ୍‌ଙ୍କ ସହ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିଅନ ବା ରଗ୍‌ବୀ ଇଣ୍ଡିଆ ସଭାପତି ତଥା ବଲିଉଡ୍‌ ଅଭିନେତା ରାହୁଲ ବୋଷ ଓ ମହାସଂଘର ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

ମ୍ୟାଚ୍‌ରେ ବେଙ୍ଗାଲୁରୁ ବ୍ରେଭହାଟର୍‌ସ ଓ ଦିଲ୍ଲୀ ରେଜ ପରସ୍ପରକୁ ଭେଟିଥିଲେ। ଏଥିରେ ଦୁଇ ଦଳ ୨୧ ଲେଖାଏ ପଏଣ୍ଟ ସ୍କୋର କରିବାରୁ ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଥିଲା। ଦୁଇ ଦଳ ପକ୍ଷରୁ ୩ଟି ଲେଖାଏ ଟ୍ରାଇ ହୋଇଥିଲା। ବେଙ୍ଗାଲୁରୁ ପକ୍ଷରୁ ଆକୁଲିଆ ରୋକୋଲିସୋଆ ଦୁଇଟି ଓ ଫିଲିପ ଓ୍ବକୋରଚ ଗୋଟିଏ ଟ୍ରାଇ ସ୍କୋର କରିଥିଲେ।

ସେହିଭଳି ଦିଲ୍ଲୀ ପାଇଁ ପାଟ୍ରିକ ଓକୋଙ୍ଗୋ ଦୁଇଟି ଓ ମାଟିଆସ ଓସାଦଜୁକ ଗୋଟିଏ ଟ୍ରାଇ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ବୁଲ୍ସ ୨୪-୫ ପଏଣ୍ଟରେ ମୁମ୍ବାଇ ଡ୍ରିମର୍ସକୁ ପରାସ୍ତ କରିଛି। ଚେନ୍ନାଇ ପାଇଁ ଟେରି କେନେଡି ଦୁଇଟି ଟ୍ରାଇ ସ୍କୋର କରିଥିବା ବେଳେ ଭାଫାୟୁଜ ମାଲିକୋ ଓ ମହମ୍ମଦ ଏପି ଗୋଟିଏ ଟ୍ରାଇ କରିଥିଲେ। ମୁମ୍ବାଇ ଲାଗି ହେନରୀ ହୁତ୍‌ଚିସନ ଗୋଟିଏ ଟ୍ରାଇ କରିଥିଲେ।

ତୃତୀୟ ମ୍ୟାଚ୍‌ରେ କଳିଙ୍ଗ ବ୍ଲାକ ଟାଇଗର୍ସ ୧୪-୨୪ ବ୍ୟବଧାନରେ ହାଇଦ୍ରାବାଦ୍‌ ହିରୋଜଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ ପ୍ରଥମ କ୍ୱାର୍ଟରରେ ମୌରିସି ଲଙ୍ଗବଟମ ଓ ଦ୍ୱିତୀୟ କ୍ୱାର୍ଟରରେ ହ୍ୟାରୀ ମ୍ୟାକନଲଟି ଟ୍ରାଇ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଜୋଜି ନସୋଭା, ମାନୁଏଲ ମୋରେନୋ, ଜାଭେଦ ହୁସେନ ଓ କେଭିନ ଓ୍ବେକେସୋ ଗୋଟିଲ ଲେଖାଏ ଟ୍ରାଇ କରିଥିଲେ।

Share