ଜାକର୍ତ୍ତା,୩୦।୮: ଇଣ୍ଡୋନେସିଆରେ ଅଶାନ୍ତ ଜନତା ତିନୋଟି ପ୍ରଦେଶର ବିଧାନସଭା କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ପଶ୍ଚିମ ନୁସା ତେଙ୍ଗାରା, ପେକାଲୋଙ୍ଗାନ ଏବଂ ସିରେବନ ବିଧାନସଭା କୋଠାରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଏହାସହ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।
ପ୍ରତିବାଦକାରୀମାନେ ସୁରାବାୟାର ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ସୁରକ୍ଷା ବାହିନୀ ଲୁହ ବୁହା ଗ୍ୟାସ ସେଲ ଏବଂ ପାଣି ତୋପ ମାଡ଼ କରିଛନ୍ତି। ପ୍ରତିବାଦକାରୀମାନେ ଫୋଟକା ଏବଂ ଲାଠି ସାହାଯ୍ୟରେ ଜବାବ ଦେଇଛନ୍ତି।
ଏହି ପ୍ରତିବାଦ ସୋମବାର ଜାକର୍ତ୍ତାରେ ଆରମ୍ଭ ହୋଇଥିଲା। ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ସମସ୍ତ ସାଂସଦଙ୍କୁ ସେମାନଙ୍କ ଦରମା ସହିତ ମାସିକ ପାଞ୍ଚ କୋଟି ଟଙ୍କା ($3,075) ବାସସ୍ଥାନ ଭତ୍ତା ମିଳିଥାଏ। ଏହା ଗତ ବର୍ଷ ପ୍ରଚଳନ କରାଯାଇଥିଲା। ଏହା ଜାକର୍ତ୍ତାରେ ସର୍ବନିମ୍ନ ବେତନର ପ୍ରାୟ ୧୦ ଗୁଣ।
ସମାଲୋଚକମାନେ ଯୁକ୍ତି ବାଢୁଛନ୍ତି ଯେ ନୂତନ ଭତ୍ତା କେବଳ ଅତ୍ୟଧିକ ନୁହେଁ, ବରଂ ଏପରି ସମୟରେ ଦିଆଯାଉଛି ଯେତେବେଳେ ଅଧିକାଂଶ ଲୋକ ବର୍ଦ୍ଧିତ ଖର୍ଚ୍ଚ, ଟିକସ ଏବଂ ବେକାରୀ ସହିତ ସଂଘର୍ଷ କରୁଛନ୍ତି। ଏହା ବିରୁଦ୍ଧରେ ଲୋକମାନେ ପ୍ରତିବାଦ କରୁଥିଲେ। ଏହି ସମୟରେ, ଜଣେ ଖାଦ୍ୟ ବିତରଣକାରୀ ବାଇକରଙ୍କୁ ପୋଲିସ ଗାଡ଼ି ଧକ୍କା ଦେଇ ହତ୍ୟା କରିବା ପରେ ପ୍ରତିବାଦ ବ୍ୟାପକ ଏବଂ ହିଂସାତ୍ମକ ହୋଇଗଲା। ଏହା ଅନେକ ସହରରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରିଥିଲା।