ନୂଆଦିଲ୍ଲୀ,୨୮ା୮(ପି.ଟି.): ୧୯୨୫ ସେପ୍ଟେମ୍ବର ୨୭ରେ ପ୍ରତିଷ୍ଠାଲାଭ କରିଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ଚଳିତବର୍ଷ ୧୦୦ ପୂରୁଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ମଙ୍ଗଳବାରଠାରୁ ଏକ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆର୍ଏସ୍ଏସ୍ର ୧୦୦ ବର୍ଷର ଯାତ୍ରା: ନୂଆ ଦିଗ୍ବଳୟ’ ଶୀର୍ଷକ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସରସଂଘଚାଳକ ମୋହନ ଭାଗବତ ଯୋଗଦେଇଥିଲେ। ଭବିଷ୍ୟତ ଭାରତ ଓ ସ୍ବୟଂସେବକମାନଙ୍କ ଭୂମିକା ଉପରେ ଭାଗବତ ନିଜ ଆଭିମୁଖ୍ୟ ସମ୍ପର୍କରେ ଅବତାରଣା କରିଥିଲେ। ଗୁରୁବାର ତୃତୀୟ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏହି ଉତ୍ସବରେ ବୁଧବାର ପ୍ରାୟ ୨ ଡଜନ ଦୂତାବାସର ୫୦ରୁ ଊର୍ଦ୍ଧ୍ୱ କୂଟନୀତିଜ୍ଞ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି, ଆମେରିକାର ଫାଷ୍ଟ ସେକ୍ରେଟାରି ଗେରି ଆପଲଗର୍ଥ, ଆମେରିକାର ମିନିଷ୍ଟର-କାଉନ୍ସେଲର ରାଜନୈତିକ ବ୍ୟାପାର ଆରୋନ୍ କୋପ୍, ଚାଇନାର ମିନିଷ୍ଟର କାଉନ୍ସେଲର ଝୌ ଗୁଓହୁଇ, ରୁଷିଆର ଫାଷ୍ଟ ସେକ୍ରେଟାରି ମିଖାଇଲ ଜୟଟ୍ସେଭ୍, ଶ୍ରୀଲଙ୍କା ହାଇକମିଶନର ପ୍ରଦୀପ ମୋହସିନି ଓ ମାଲେସିଆ ହାଇକମିଶନର ଦାତୋ ମୁଜାଫର। ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୨ ବିଜୟାଦଶମୀ ଦିନ ନାଗପୁରସ୍ଥିତ ସଂଘ ମୁଖ୍ୟାଳୟରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଲକ୍ଷାଧିକ ହିନ୍ଦୁଙ୍କୁ ଆର୍ଏସ୍ଏସ୍ ମୁଖ୍ୟ ଭାଗବତ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।