ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ଆରଏସଏସ ନେତାଙ୍କ ଦାବି

ନୂଆଦିଲ୍ଲୀ,୨୬।୬: ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଗୁରୁବାର ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବା ପାଇଁ ଜୋରଦାର ଦାବି ଉଠାଇଛନ୍ତି। ସେ ଏହା ସହ ୫୦ ବର୍ଷ ତଳେ କଂଗ୍ରେସ ସରକାରଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ଜାରି କରାଯିବାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି।

୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିଥିବା ଏହି ୨୧ ମାସର ସମୟରେ ନାଗରିକ ସ୍ୱାଧୀନତା ସ୍ଥଗିତ ରହିଥିଲା ଏବଂ ବିରୋଧୀ ନେତା ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋସାବଲେ କହିଛନ୍ତି ଯେ, ଜରୁରୀକାଳୀନ ସମୟରେ କଂଗ୍ରେସ ସରକାର ସମ୍ବିଧାନର ପ୍ରସ୍ତାବନାରେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ଯୋଗ କରିଥିଲେ। ଏହି ଶବ୍ଦ ଦୁଇଟି ସମ୍ବିଧାନରେ ରହିବା ଉଚିତ କି ନାହିଁ, ତାହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି।

କଂଗ୍ରେସକୁ ଜରୁରୀକାଳୀନ ପରିସ୍ଥିତି ଲଦିଦେବା ପାଇଁ କ୍ଷମା ମାଗିବାକୁ ଦାବି କରି ହୋସାବଲେ କହିଛନ୍ତି, “ଯେଉଁମାନେ ଏପରି କାମ କରିଥିଲେ, ସେମାନେ ଆଜି ସମ୍ବିଧାନର ପ୍ରତିଲିପି ଧରି ବୁଲୁଛନ୍ତି। ସେମାନେ ଏପର୍ଯ୍ୟନ୍ତ କ୍ଷମା ମାଗି ନାହାନ୍ତି। ତୁମର ପୂର୍ବଜମାନେ ଏହା କରିଥିଲେ, ତୁମେ ଦେଶ ପାଇଁ ଏଥିପାଇଁ କ୍ଷମା ମାଗିବା ଉଚିତ।” ଏହି ମନ୍ତବ୍ୟ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି।

ଜରୁରୀକାଳୀନ ସମୟକୁ ସ୍ମରଣ କରି ଆରଏସଏସ ନେତା କହିଛନ୍ତି, “ସେହି ସମୟରେ ହଜାର ହଜାର ଲୋକଙ୍କୁ ଜେଲରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ନ୍ୟାୟପାଳିକା ଓ ଗଣମାଧ୍ୟମର ସ୍ୱାଧୀନତା ମଧ୍ୟ ହରଣ କରାଯାଇଥିଲା। ଏହା ସହ ବହୁ ସଂଖ୍ୟାରେ ଜବରଦସ୍ତି ନସବନ୍ଦୀ କରାଯାଇଥିଲା।”

ହୋସାବଲେଙ୍କ ଏହି ମନ୍ତବ୍ୟ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରାଯିବାର ପରଦିନ ଆସିଛି। ସରକାର ଏହି ଦିବସକୁ ୧୯୭୫ରୁ ୧୯୭୭ ମସିହା ପର୍ଯ୍ୟନ୍ତ ଅମାନବୀୟ ଯନ୍ତ୍ରଣା ସହିଥିବା ଲୋକଙ୍କର “ବିରାଟ ଅବଦାନ”କୁ ସ୍ମରଣ କରିବା ପାଇଁ ପାଳନ କରିଛନ୍ତି।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ପରିସ୍ଥିତିକୁ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅନ୍ଧକାର ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ସମ୍ବିଧାନର ମନୋଭାବକୁ ଉଲ୍ଲଂଘନ କରିବା ସହ ଗଣତନ୍ତ୍ରକୁ “ବନ୍ଦୀ” କରିଥିଲା। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ମୋଦି କହିଛନ୍ତି, “କୌଣସି ଭାରତୀୟ ସେହି ସମୟକୁ ଭୁଲି ପାରିବେ ନାହିଁ, ଯେତେବେଳେ ସଂସଦର କଣ୍ଠକୁ ରୁଦ୍ଧ କରାଯାଇଥିଲା ଓ ନ୍ୟାୟାଳୟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା।”

Share