କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ ସେଠାରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରାପର୍ରୁ ରାଜନେତା ହୋଇଥିବା ବଳେନ୍ଦ୍ର ଶାହଙ୍କ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍ଏସ୍ପି) ବୃହତ୍ ବିଜୟ ଦିଗରେ ଅଗ୍ରସର ହେଉଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଭୋଟ ଗଣତି ଜାରି ରହିଥିବାବେଳେ ଅପରାହ୍ନ ସୁଦ୍ଧା ୯୪ ନିର୍ବାଚନମଣ୍ଡଳୀ ମଧ୍ୟରୁ ୭୦ଟିରେ ଆର୍ଏସ୍ପି ଆଗରେ ରହିଛି। ଅନ୍ୟପକ୍ଷରେ ନେପାଳୀ କଂଗ୍ରେସ, ସିପିଏନ୍-ୟୁଏମ୍ଏଲ୍ ଏବଂ ନେପାଳୀ କମ୍ୟୁନିଷ୍ଟ ପାର୍ଟି ୬ଟି ଲେଖାଏ ଆସନରେ ଆଗରେ ଅଛନ୍ତି। କାଠମାଣ୍ଡୁର ମେୟର ଥିବା ବଳେନ୍ଦ୍ର ଝାପା-୫ ନିର୍ବାଚନ ମଣ୍ଡଳୀରେ ୪ ଥରର ପ୍ରଧାନମନ୍ତ୍ରୀ ତଥା ସିପିଏନ୍-ୟୁଏମ୍ଏଲ୍ ଅଧ୍ୟକ୍ଷ ଓଲିଙ୍କଠାରୁ ଆଗରେ ଅଛନ୍ତି। ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି, ପ୍ରୋଗେସିଭ୍ ଡେମୋକ୍ରାଟିକ୍ ପାର୍ଟି, ଶ୍ରମ ସଂସ୍କୃତି ପାର୍ଟି ଏବଂ ସ୍ବାଧୀନ ପ୍ରାର୍ଥୀମାନେ ଗୋଟିଏ ଲେଖାଏ ଆସନରେ ଆଗରେ ରହିଛନ୍ତି।