ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା ବେହେରା ନିର୍ମାଣସ୍ଥଳରେ ଭୂମି ପୂଜା କରିଥିଲେ l ଛତ୍ରପୁର ଲୋକପ୍ରିୟ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଦୁଇଟି ପର୍ଯ୍ୟାୟରେ ୯ ଲକ୍ଷ ଲେଖାଏ ୧୮ ଲକ୍ଷ ନିଜସ୍ବ ପାଣ୍ଠିରୁ ପ୍ରଦାନ କରିଥିବା ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ବ୍ୟୟଅଟକଳ ହୋଇଥିବା ସେ କହିଛନ୍ତି l ବଳକା ଅର୍ଥ ବିକଶିତ ଗାଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପ୍ରଦାନ କରିବ ବୋଲି ଜଣାପଡ଼ିଛି।
ସେହିପରି ବିକଶିତ ଓଡ଼ିଶା ଅର୍ଥରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୧୪ ଲକ୍ଷ ୪୩ ହଜାର ଟଙ୍କା ବ୍ୟୟ ଅଟକଳରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ,୫ ଲକ୍ଷ ୨୮ ହଜାର ଟଙ୍କାରେ ମଲାଡ଼ ମଝି ସାହି ଫେବର ବ୍ଲକ ରାସ୍ତା ଏବଂ ମଲାଡ଼ ଗ୍ରାମ ଅଭିରାମ ପରମ ହଂସ ମଠ ନିକଟରେ ଉକ୍ତ ଫଣ୍ଡରୁ ୭ ଲକ୍ଷ ଟଙ୍କାରେ ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସରପଞ୍ଚ ପ୍ରତିନିଧି ବେହେରା ସୂଚନା ଦେଇଛନ୍ତି l ବ୍ଲକ ପ୍ରଶାସନ ପକ୍ଷରୁ ଜି ଆଇ ଫଣ୍ଡରେ ୫ ଲକ୍ଷ ଟଙ୍କାର ଫେବର ରୋଡ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣପଡ଼ିଛି। ଭୂମି ପୂଜା ବେଳେ ସରପଞ୍ଚ ମମତା ବେହେରାଙ୍କ ସମିତି ସଭ୍ୟାଙ୍କ ପ୍ରତିନିଧି ଲିଙ୍ଗରାଜ ମହାପାତ୍ରଙ୍କ ସମେତ ଭାଜପା ଯୁବ ସଂଗଠକ ଏ. କ୍ରିଷ୍ଣା, ସାମାଜିକକର୍ମୀ ଗିରି ପାତ୍ର,ସନ୍ତୋଷ ସାହୁ ଏବଂ ଗ୍ରାମ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ।