ନୂଆଦିଲ୍ଲୀ,୨।୯: କନ୍ନଡ଼ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କ ବିରୋଧରେ ସୁନା ଚୋରା ଚାଲାଣ ମାମଲାରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ପକ୍ଷରୁ ୧୦୨ କୋଟି ଟଙ୍କାର ଜୋରିମାନା ଲଦାଯାଇଛି। DRI ସୂତ୍ର ମଙ୍ଗଳବାର ଏହା ସୂଚନା ଦେଇଛି।
ରାନ୍ୟାଙ୍କ ସହ ହୋଟେଲ ମାଲିକ ତରୁଣ କୋଣ୍ଡାରାଜୁଙ୍କୁ ୬୩ କୋଟି ଟଙ୍କା ଏବଂ ଜଣେ ଜଣେ ଅଳଙ୍କାର ବ୍ୟବସାୟୀ ସାହିଲ ସାକାରିଆ ଜୈନ ଓ ଭାରତ କୁମାର ଜୈନଙ୍କୁ ୫୬ କୋଟି ଟଙ୍କା ଲେଖାଏଁ ଜୋରିମାନା ଦିଆଯାଇଛି। ମଙ୍ଗଳବାର ଦିନ DRI ଅଧିକାରୀମାନେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ୨୫୦ ପୃଷ୍ଠାର ନୋଟିସ ସହ ୨,୫୦୦ ପୃଷ୍ଠାର ଆନେକ୍ସର ପ୍ରଦାନ କରିଛନ୍ତି। ଜଣେ DRI ଅଧିକାରୀ ପିଟିଆଇକୁ କହିଛନ୍ତି, “୧୧,୦୦୦ ପୃଷ୍ଠାର ନଥିପତ୍ର ପ୍ରସ୍ତୁତ କରି ଅଭିଯୁକ୍ତମାନଙ୍କୁ ପ୍ରଦାନ କରିବା ଏକ ବିରାଟ କାର୍ଯ୍ୟ ଥିଲା।”
DRI ସୂତ୍ର ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ରାନ୍ୟା ରାଓ ଦୁବାଇରୁ ଫେରୁଥିବା ବେଳେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତୀୟ ବିମାନବନ୍ଦରରେ ୧୪.୮ କିଲୋଗ୍ରାମ ସୁନା ସହ ଧରାପଡ଼ିଥିଲେ। ରାନ୍ୟା ହେଉଛନ୍ତି ଡାଇରେକ୍ଟର ଜେନେରାଲ ଅଫ ପୋଲିସ ର୍ୟାଙ୍କର ଅଧିକାରୀ କେ. ରାମଚନ୍ଦ୍ର ରାଓଙ୍କ ସାବତୀ ଝିଅ।
ଚଳିତ ବର୍ଷ ଜୁଲାଇରେ ରାନ୍ୟାଙ୍କୁ କଠୋର ବୈଦେଶିକ ମୁଦ୍ରା ସଂରକ୍ଷଣ ଓ ଚୋରା ଚାଲାଣ ନିବାରଣ ଆଇନ (COFEPOSA) ଅନ୍ତର୍ଗତ ଏକ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ମଙ୍ଗଳବାର ଏହି COFEPOSA ମାମଲା ହାଇକୋର୍ଟରେ ଉଠିଥିଲା, ଯାହାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ବୋଲି DRI ସୂତ୍ର ସୂଚନା ଦେଇଛି।