Eoin Morgan, captain of Kolkata Knight Riders hit the sixes during match 54 of season 13 of the Dream 11 Indian Premier League (IPL) between the Kolkata Knight Riders and the Rajasthan Royals held at the Dubai International Cricket Stadium, Dubai in the United Arab Emirates on the 1st November 2020. Photo by: Saikat Das / Sportzpics for BCCI
ଦୁବାଇ : ଇଅନ ମୋର୍ଗାନଙ୍କ ଅଧିନାୟକ ଇନିଂସ ପରେ ପ୍ୟାଟ୍ କୁମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୦ ଓଭରରେ ୭ ଉଇକେଟ ହରାଇ ୧୯୧ ରନ କରିଥିଲା। ୧୯୨ ରନ ବିଜୟ ଲକ୍ଷ୍ୟରେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଏଠାରେ ବିଜୟ ଫଳରେ କୋଲକାତାର ପ୍ଲେ-ଅଫ୍ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଏହିଦଳ ୧୪ ମ୍ୟାଚରୁ ୧୪ ପଏଣ୍ଟ ସହିତ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରୟାଲ୍ସ ୧୪ ମ୍ୟାଚରୁ ୧୨ ପଏଣ୍ଟରେ ରହି ବିଦାୟ ନେଇଛି।
ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଇନିଂସର ଦ୍ୱିତୀୟ ବଲ୍ରେ ନୀତୀଶ ରାଣାଙ୍କୁ ଆଉଟ କରି କୋଲକାତାକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ ଜୋଫ୍ରା ଆର୍ଚର। ଶୁବମନ ଗିଲ ଓ ରାହୁଲ ତ୍ରିପାଠୀ ଦ୍ୱିତୀୟ ଉଇକେଟରେ ୭୨ ରନ ଯୋଗ କରି ଏକ ସମ୍ମାନଜନକ ସ୍କୋର ପାଇଁ ପଥ ପ୍ରସ୍ତୁତ କରିଥିଲେ। ପୁରା ସିଜନରେ ଫର୍ମରେ ଥିବା ଶୁବମନ ୨୪ ବଲ୍ରୁ ୩୬ (୬ ଚୌକା) ରନ କରିଥିବାବେଳେ ରାହୁଲ ଟଓ୍ବୋଟିଆଙ୍କ ଶିକାର ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସୁନୀଲ ନାରିନ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ନାଇଟ୍ ରାଇଡର୍ସ ପାଇଁ ଖରାପ ସୂଚନା ଦେଇଥିଲା। ଅଧିନାୟକ ଇଅନ ମୋର୍ଗାନ କ୍ରିଜ୍ରେ ଯୋଗଦେଇ ଉନ୍ନତ ରନ୍ହାର ସହ ଇନିଂସକୁ ଆଗେଇ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ୪ ବଲ୍ ବ୍ୟବଧାନରେ ସେଟ୍ ବ୍ୟାଟ୍ସମ୍ୟାନ ରାହୁଲ ତ୍ରିପାଠୀ ଓ ବିଦାୟୀ ଅଧିନାୟକ ଦୀନେଶ କାର୍ତ୍ତିକ ଆଉଟ ହେବାରୁ କୋଲକାତା ଅଗ୍ରଗତିରେ ବାଧା ସୃଷ୍ଟି ହୋଇଥିଲା। ତ୍ରିପାଠୀ ୩୪ ବଲ୍ରୁ ୪ ଚୌକା ଓ ୨ ଛକା ସହାୟତାରେ ୩୯ ରନ କରିଥିବାବେଳେ କାର୍ତ୍ତିକ ଖାତାଖୋଲିପାରି ନ ଥିଲେ। ଫଳରେ ୧୨.୩ ଓଭର ବେଳକୁ ସ୍କୋର ୯୯/୫ ହୋଇ ଯାଇଥିଲା। ମୋର୍ଗାନ କିନ୍ତୁ ଖେଳିଥିଲେ ଅଧିନାୟକ ଇନିଂସ। ସେ ୩୫ଟି ବଲ୍ର ସମ୍ମୁଖୀନ ହୋଇ ୫ ଚୌକା ଓ ୬ ଛକା ସହାୟତାରେ ୬୮ ରନରେ ଅପରାଜିତ ରହି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନରେ ଗୁରୁଦାୟିତ୍ୱ ନିର୍ବାହ କରିଥିଲେ। ଫର୍ମରେ ନ ଥିବା ଆନ୍ଦ୍ରେ ରସେଲ ୧୧ ବଲ୍ରୁ ୨୫(୧ ଚୌକା, ୩ ଛକା) ଏବଂ ପ୍ୟାଟ୍ କୁମିନ୍ସ ୧୧ ବଲ୍ରୁ ୧୫ ରନର ମୂଲ୍ୟବାନ ଇନିଂସ ଖେଳିଥିଲେ। ମୋର୍ଗାନ ରସେଲଙ୍କ ସହ ୬ଷ୍ଠ ଉଇକେଟରେ ୪୫ ଓ କୁମିନ୍ସଙ୍କ ସହ ୭ମ ଉଇକେଟରେ ୪୦ ରନର ଭାଗୀଦାରି ଗଢ଼ିଥିଲେ। ରୟାଲ୍ସ ପକ୍ଷରୁ ରାହୁଲ ଟଓ୍ବୋଟିଆ ୩ଟି, କାର୍ତ୍ତିକ ତ୍ୟାଗୀ ୨ଟି ଏବଂ ଆର୍ଚର ଓ ଶ୍ରେୟାସ ଗୋପାଳ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଉନ୍ନତ ରନ ହାର ସହ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ରାଜସ୍ଥାନ ପ୍ରଥମ ବଲ୍ରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲା। ପ୍ୟାଟ୍ କୁମିନ୍ସ ବୋଲିଂ କରିଥିବା ଇନିଂସର ପ୍ରଥମ ବଲ୍କୁ ଛକା ମାରି ଅଭିଯାନ ଆରମ୍ଭ କରିଥିଲେ ରବିନ ଉଥପ୍ପା। ମାତ୍ର କୁମିନ୍ସ ଘାତକ ବୋଲିଂ କରି ରୟାଲ୍ସ ଆଶାରେ ପାଣି ଭରି ଦେଇଥିଲେ। ଉଥପ୍ପା ୬, ବେନ୍ ଷ୍ଟୋକ୍ସ ୧୮, ଅଧିନାୟକ ଷ୍ଟିଭେନ ସ୍ମିଥ ୪, ସଞ୍ଜୁ ସାମସନ ୧ ଓ ରିୟାନ ପରାଗ ଖାତା ଖୋଲିବା ପୂର୍ବରୁ ଆଉଟ ହେବାରୁ ରୟାଲ୍ସ ସ୍କୋର ୫ ଓଭର ବେଳକୁ ୩୭/୫ ହୋଇ ଯାଇଥିଲା। ଏହା ମଧ୍ୟରୁ ୪ଟି ଉଇକେଟ କେବଳ କୁମିନ୍ସ ନେଇଥିଲେ। ଦଳର ଶେଷ ଆଶା ଜୋସ୍ ବଟଲର ୨୨ ବଲ୍ରୁ ୩୫(୪ ଚୌକା, ୧ ଛକା) ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ ଆଉଟ ହେବାରୁ ରୟାଲ୍ସ ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରାହୁଲ ଟଓ୍ବୋଟିଆ ଦ୍ରୁତ ୩୧ରନ(୨୭ ବଲ, ୨ ଚୌକା, ୧ ଛକା) କରିବାରୁ ରାଜସ୍ଥାନ ସ୍କୋର ୧୦୦ ରନ ଅତିକ୍ରମ କରିଥିଲା। ଶ୍ରେୟାସ ଗୋପାଳ ୨୩ ବଲ୍ରୁ ୨୩(୨ ଚୌକା) ରନରେ ଅପରାଜିତ ରହିବାରୁ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୧ ରନ କରି ପାରିଥିଲା। କୋଲକାତା ପକ୍ଷରୁ କୁମିନ୍ସ ୪ଟି, ବରୁଣ ଓ ଶିବମ ମାଭି ୨ଟି ଲେଖାଏ ଏବଂ କମଲେଶ ନାଗରକୋଟି ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୯୧/୭(ମୋର୍ଗାନ-୬୮*, ତ୍ରିପାଠୀ-୩୯, ଶୁବମନ-୩୬, ରସେଲ-୨୫, ଟଓ୍ବୋଟିଆ-୩/୨୫, ତ୍ୟାଗୀ-୨/୩୬, ଆର୍ଚର-୧/୧୯, ଗୋପାଳ-୧/୪୪)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୧/୯ (ବଟଲର-୩୫, ଟଓ୍ବୋଟିଆ-୩୧, କୁମିନ୍ସ-୪/୩୪, ବରୁଣ-୨/୨୦, ମାଭି-୨/୧୫, ନାଗରକୋଟି-୧/୨୪)।